ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳିତ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳିତ

ସୁନାବେଡ଼ା -ଗତକାଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡ଼ା କ୍ୟାମ୍ପସଠାରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା । ଭାଷାର ପ୍ରାଚୀନତା, ଧାରାବାହିକତା ଓ ସମୃଦ୍ଧ ସାହିତ୍ୟ ଏହି ମାନ୍ୟତାର ମାନଦଣ୍ଡ ପାଲଟିଥିଲା । ଏହି ଗୌରବାବହ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ଭାଷାର ବିକାଶ ନିମନ୍ତେ ଗୋଟିଏ ବୌଦ୍ଧିକ ପରିଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଆ ବିଭାଗର ମୁଖ୍ୟ ଡ. ପ୍ରଦୋଷ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲାବେଳେ ଭାଷାବିଭାଗ ସମୂହର ଡିନ ତଥା ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ, ଭାଷା ହିଁ ମନୁଷ୍ୟତା, ଏହା ଯୋଗୁଁ ମନୁଷ୍ୟ ଶ୍ରେଷ୍ଠ ପଦବାଚ୍ୟ ହୋଇପାରିଛି । ଓଡ଼ିଶାର ଉନ୍ନତ ସାହିତ୍ୟ, ମହାନ ସଂସ୍କୃତି ଓ ସଭ୍ୟତାର ବାହକ ହୋଇ ଓଡ଼ିଆ ଭାଷା ଆଜି ବିଶ୍ୱସ୍ତରରେ ଆଦୃତ ହୋଇଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଅର୍ଥନୀତି ପ୍ରଫେସର ରଥିକାନ୍ତ କୁମ୍ଭାର କହିଲେ ଓଡ଼ିଆ ତଥା ଅଣଓଡ଼ିଆ ସମସ୍ତଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆବଶ୍ୟକତାବୋଧ ସୃଷ୍ଟି କରାଯାଇପାରିଲେ ଭାଷାର ବ୍ୟାପ୍ତି ହେବ । ମୁଖ୍ୟବକ୍ତା ରୂପେ ଯୋଗଦେଇ ଶିକ୍ଷା ବିଭାଗର ପ୍ରଫେସର ଭରତ କୁମାର ପଣ୍ଡା କହିଥିଲେ ଯେ ନୂତନ ଶିକ୍ଷାନୀତି ପ୍ରାନ୍ତୀୟ ଭାଷାରେ ଶିକ୍ଷାଦାନ ଓ ପ୍ରାନ୍ତୀୟ ଭାଷାର ଶିକ୍ଷା ଉପରେ ପ୍ରାଧାନ୍ୟ ଦିଏ, ତେଣୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ଏହା ଅତ୍ୟନ୍ତ ଫଳଦାୟକ ସାବ୍ୟସ୍ତ ହେବ । ଏହି ବୌଦ୍ଧିକ ଆଲୋଚନାଚକ୍ରରେ ବିଭିନ୍ନ ବିଭାଗର ପ୍ରାଧ୍ୟାପକଗଣ, ବିଦ୍ୟାର୍ଥୀ ଓ ଗବେଷଣା ବିଦ୍ୟାର୍ଥୀ ତଥା କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡ. ପ୍ରଦୋଷ ରଥ ଓ ସୌରଭ ଗୁପ୍ତ, ହିନ୍ଦୀ ବିଭାଗର ଡ. ଚକ୍ରଧର ପ୍ରଧାନ ତଥା ଓଡ଼ିଆ ବିଭାଗର ଡ. ଆଲୋକ ବରାଳ, ଡ. ଗଣେଶ ପ୍ରସାଦ ସାହୁ ଓ ଡ. ସତ୍ୟ ଷଡ଼ଙ୍ଗୀ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଭା ଶେଷରେ ଓଡ଼ିଆ ବିଭାଗର ସହ-ପ୍ରାଧ୍ୟାପକ ଡ. ରଘୁନାଥ ଓଝା ଧନ୍ୟବାଦ ଅର୍ପଣ କରିଥିଲାବେଳେ ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗର ବିଦ୍ୟାର୍ଥୀମାନେ ‘ବନେ୍ଦ ଉତ୍କଳ ଜନନୀ’ ଗାନ କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *