ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ବ୍ୟାବସାୟିକ ପେଣ୍ଠସ୍ଥଳୀକୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ–
ଆମ୍ବଗଡ ଗ୍ରିଡ ସବ-ଷ୍ଟେସନରୁ ନୀଳକଣ୍ଠ ନଗର ପ୍ରାଇମେରୀ ସବ-ଷ୍ଟେସନକୁ ନୂତନ ୩.୯ କିମି ଦୀର୍ଘ ୩୩ କେଭି ବିଦ୍ୟୁତ ଲାଇନ୍ ସଂଯୋଗ– ବ୍ୟାବସାୟିକ କେନ୍ଦ୍ର ଏବଂ ଆବାସିକ ଅଞ୍ଚଳର ପ୍ରାୟ ୫୧ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ଉନ୍ନତ ମାନର ବିଜୁଳି ସେବା– ଉନ୍ନତ ଭିତ୍ତିଭୂମି ଯୋଗୁଁ ସୁନିଶ୍ଚିତ ହେବ ସୁରକ୍ଷା ଏବଂ ଦୂର ହେବ ଓଭର ଲୋଡିଂ ସମସ୍ୟା– ଖରା ଦିନେ ବଢୁଥିବା ବିଜୁଳି ଚାହିଦା ପୂରଣ କରିବା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଆଗୁଆ ପଦକ୍ଷେପ
ବ୍ରହ୍ମପୁର, ଫେବୃଆରୀ: ବ୍ରହ୍ମପୁର ସହରରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆମ୍ବଗଡ ଗ୍ରିଡ ସବ ଷ୍ଟେସନରୁ ନୀଳକଣ୍ଠ ନଗର ପ୍ରାଇମେରୀ ସବ ଷ୍ଟେସନ ଯାଏଁ ନୂତନ ଭାବେ ୩.୯ କିମି ଦୀର୍ଘ ୩୩ କେଭି ବିଦ୍ୟୁତ ଲାଇନ୍ ସଂଯୋଗ କରାଯାଇଛି। ଏହା ଦ୍ଵାରା ପ୍ରାୟ ୫୧ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଗୁଣାତ୍ମକ ବିଜୁଳି ସେବା ପାଇବେ, ବିଶେଷ କରି ଆଗକୁ ଖରା ଦିନ ଆସୁଥିବାରୁ ଜନବହୁଳ ଅଞ୍ଚଳ ଏବଂ ବ୍ୟାବସାୟିକ କେନ୍ଦ୍ରଗୁଡ଼ିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟାବସାୟିକ କେନ୍ଦ୍ର ତଥା ଜନବହୁଳ ସହର। ବର୍ତ୍ତମାନ ଏହି କମର୍ସିଆଲ କରିଡ଼ରକୁ ସ୍ଥାୟୀ ଏବଂ ସୁରକ୍ଷିତ ବିଦ୍ୟୁତ ଯୋଗାଣ ହୋଇପାରୁଛି। ନୂତନ ଭାବେ ସଂଯୋଗ ହୋଇଥିବା ୩.୯ କିମି ଦୀର୍ଘ ୩୩ କେଭି ବିଦ୍ୟୁତ ଲାଇନ୍ ଗାନ୍ଧୀନଗର, ବିଜିପୁର, ଗୋସାଣୀନୂଆଗାଁ, କନିଶି, ହଳଦିଆପଦର, ସାନ ବଜାର, ବଡ଼ ବଜାର, ହାଉସିଂ ବୋର୍ଡ, ପୁରୁଣା ବ୍ରହ୍ମପୁର, ଆସ୍କା ରୋଡ଼ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିଶ୍ବସନୀୟ ବିଜୁଳି ସେବା ଯୋଗାଉଛି। ଯାହା ଫଳରେ, ଏସବୁ ଅଞ୍ଚଳରେ ଓଭରଲୋଡ଼ିଂ କିମ୍ବା ଲୋ ଭୋଲଟେଜ ଭଳି ସମସ୍ୟା ହେବ ନାହିଁ। ପୂର୍ବରୁ ବ୍ରହ୍ମପୁରର ଜନବହୁଳ ସ୍ଥାନରେ ବିଦ୍ୟୁତ କେବୁଲଗୁଡ଼ିକର ଉଚ୍ଚତା କମ ଥିଲା ଏବଂ ପୁରୁଣା କଣ୍ଡକ୍ଟର ଯୋଗୁଁ ଓଭର ଲୋଡ଼ିଂ ସମସ୍ୟା ଉପଜୁଥିଲା।
ଏହି ପଦକ୍ଷେପ ଯୋଗୁଁ କଣ୍ଡକ୍ଟର ସାଇଜରେ ବୃଦ୍ଧି ସହ ଅଧିକ ଉଚ୍ଚତାରେ ରଖା ଯାଇଛି, ଯାହା ଫଳରେ ସୁରକ୍ଷା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇବ। ବିଶେଷ କରି ଅଧିକ ବିଜୁଳି ଚାହିଦା ଥିବା ସମୟରେ ନୂଆ ଭିତ୍ତିଭୂମି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରେ। ଖରା ଦିନକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ଜନବହୁଳ ଅଞ୍ଚଳ ଏବଂ ବ୍ୟାବସାୟିକ ସ୍ଥାନଗୁଡିକରେ ବିଦ୍ୟୁତ କାଟ ରୋକିବା ଏବଂ ଅଧିକ ଚାହିଦା ସମୟରେ ସ୍ଥାୟୀ ବିଦ୍ୟୁତ ସେବା ଜାରି ରଖିବା ଉପରେ ଗୁରୁତ୍ଵ ଦେଉଅଛି। ଏହି ନୂଆ ୩୩ କେଭି ଲାଇନ୍ ଦୈନଦିନ କାର୍ଯ୍ୟ ବ୍ୟାହତ ନ ହେବା ପାଇଁ ବ୍ୟାବସାୟିକ ଅନୁଷ୍ଠାନ, ଆବାସିକ ସ୍ଥାନ, ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ କରିବ। ସାରା ଦକ୍ଷିଣ ଓଡ଼ିଶାରେ ସୁରକ୍ଷିତ, ସ୍ଥାୟୀ ଏବଂ ଗ୍ରାହକ-କୈନ୍ଦ୍ରିକ ବିଜୁଳି ସେବା ଯୋଗାଇବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଆସିଛି। ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଭରସାଯୋଗ୍ୟ ବିଜୁଳି ଯୋଗାଣ ହେଉଛି ଆମର ମିଶନ। ସମର୍ପିତ ଭାବନା ନେଇ ଆମେ ଏହି ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର ପ୍ରୟାସ କରୁଅଛୁ। ଏହି ନୂତନ ବିଦ୍ୟୁତ ଲାଇନ୍ ସଂଯୋଗ ହେବା ପରେ ବ୍ରହ୍ମପୁରର ବ୍ୟାବସାୟିକ କେନ୍ଦ୍ରକୁ ସ୍ଥାୟୀ ଏବଂ ସୁରକ୍ଷିତ ବିଜୁଳି ଯୋଗାଇ ଦିଆଯିବ। ଆସନ୍ତା ଗ୍ରୀଷ୍ମ ଋତୁକୁ ନଜରରେ ରଖି ଉପଭୋକ୍ତାଙ୍କ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ପୂରଣ କରିବା ପାଇଁ ଆମେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଏବଂ ସୁଦୃଢ଼ୀକରଣ ଉପରେ ପ୍ରାଧାନ୍ୟ ଦେଉଅଛୁ।”