ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା
“ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ କତିପୟ କଳା ଓ କଳାକାର ହିତୈଷୀ ଦାବି ନେଇ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସହ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ ଏବଂ ସ୍ଥାନୀୟ କଳା-ସଂସ୍କୃତି ସଂଗଠନ ମାନଙ୍କ ସହଯୋଗ କ୍ରମେ ଆୟୋଜିତ ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିନିଧି ସ୍ତରୀୟ ଚାରିଶତରୁ ଉର୍ଦ୍ଧ୍ଵ କଳାକାର ବିଭିନ୍ନ ବେଶ ଭୁଷାରେ ସଜ୍ଜିତ ହୋଇ ଅଂଶ ଗ୍ରହଣ କରିଥିଲେ। କଳାକାରଙ୍କୁ ବର୍ଦ୍ଧିତ ଓ ନିୟମିତ ଭତ୍ତା ପ୍ରଦାନ, ମୃତ୍ୟୁ ପାରେ କଳାକାରଙ୍କ ପରିବାର ସଦସ୍ୟଙ୍କୁ ଭତ୍ତା ପ୍ରଦାନ, ରାମାୟଣ ନାଟକର ଭଳି ପୁନରୁଦ୍ଧାର, ନାଟକ ମଞ୍ଚସ୍ଥ ନିମନ୍ତେ ପ୍ରେକ୍ଷାଳୟ ନିର୍ମାଣ, ବ୍ଲକ ଓ ସହରାଞ୍ଚଳରେ ନାଟକ ପ୍ରସ୍ତୁତି ଘର ନିର୍ମାଣ, କଳାକାରଙ୍କ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ସହ ଯାତାୟାତ ରିହାତି ଭଳି ତେର ଗୋଟି ଦାବି ରହିଛି। ଉକ୍ତ କାର୍ଯ୍ୟକ୍ରମକୁ ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ ବିଧିବତ ଉଦଘାଟନ କରିଥିବା ବେଳେ କଳାପ୍ରାଣ କୈଳାସ ପାଣିଗ୍ରାହୀ, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ବରିଷ୍ଠ କଳାକାର ସଂଘ କର୍ମକର୍ତ୍ତାଙ୍କ ସମେତ ମଦନମୋହନ ମିଶ୍ର, ରାଜଗୋପାଳ ପାଢ଼ୀ, ବାଲାଜୀ ସାମନ୍ତରାୟ, ଅନୀଲ ପାତ୍ର ଓ ସୁବାଷ ଚନ୍ଦ୍ର ସାହୁ ରୋଷନ ସମେତ ବହୁ କଳାକାର ବୃନ୍ଦ ଯୋଗ ଦେଇଥିଲେ।ସରକାର ଦାବୀ ସମାଧାନ ନକଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତି ନିଆଯିବ ବୋଲି ମହାସଚିବ ସୁଚନା ଦେଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!