ଓଡ଼ିଶା ଖଦି ମେଳା ଆରମ୍ଭ

ଓଡ଼ିଶା ଖଦି ମେଳା ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଆଜିଠାରୁ ଓଡ଼ିଶା ଖଦି ମେଳା – ୨୦୨୪ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାନନୀୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମତ୍ସ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, “ଖଦି – ସ୍ଵଦେଶୀ, ସ୍ଵରାଜ ଓ ସ୍ଵାବଲମ୍ବନର ପ୍ରତୀକ । ଦାରିଦ୍ର‌୍ୟ ଦୂରୀକରଣ ଓ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବାର ଏକ ଅମୋଘ ଅସ୍ତ୍ର । ଏହାର ସଂରକ୍ଷଣ ଓ ବହୁଳ ପ୍ରଚାର ପ୍ରସାର ସହ ଖଦି ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ହେଉଛି ସମୟର ଆହ୍ୱାନ ।” ସପ୍ତାହରେ ଥରଟିଏ ଖଦି ପିନ୍ଧିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ l

ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ଖଦି ଉତ୍ପାଦକୁ ପ୍ରଦର୍ଶିତ କରିବା ସହ ବୁଣାକାର ବନ୍ଧୁମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୩ ଘଟିକାରୁ ରାତ୍ର ୧୦ ଘଟିକା ମଧ୍ୟରେ ଲୋକମାନେ ମନ ପସନ୍ଦର ସାମଗ୍ରୀ କିଣି ପାରିବେ ।
ଖଦି ବସ୍ତ୍ର, ଶାଢି, ଶାଲ, ଜ୍ୟାକେଟ, ଗ୍ରାମୋଦ୍ୟୋଗ ସାମଗ୍ରୀ ଆଦି ବିକ୍ରି ହେବ । ଚଳିତଥର ମୋଟ୍ ୧୦୦ ଟି ଷ୍ଟଲ୍ ଖୋଲାଯାଇଛି । ୩୨ ଗୋଟି ଖଦି, ୬୩ ଗୋଟି ଗ୍ରାମୋଦ୍ୟୋଗ, ୫ ଗୋଟି ଖାଦ୍ୟ ଷ୍ଟଲ ଖୋଲା ଯାଇଛି । ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ Live Demonstration ଷ୍ଟଲ କରାଯାଇଛି l ଏହି ଷ୍ଟଲରେ କାରିଗରମାନେ ତାଙ୍କ ହସ୍ତର ନିପୁଣତା ପ୍ରଦର୍ଶନ କରିଛନ୍ତି l ଆମ ରାଜ୍ୟ ସହ ଝାଡ଼ଖଣ୍ଡ, ଜମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଆଦିରୁ ବୁଣାକାରମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହ ଆସିଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାରମ୍ପରିକ ଖାଦ୍ୟ ସହ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହି ଉତ୍ସବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ବିଭାଗ ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ l ଖଦି ବୋର୍ଡ଼ର ସଚିବ ସଞ୍ଜୟ କୁମାର ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *