ବିଦ୍ୟାଳୟରେ ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ
ରାୟଗଡା : ଶିଶୁ ବାଟିକାରେ ପ୍ରବେଶ ଉତ୍ସବ ଆସନ୍ତା ଏପ୍ରିଲ ୨ ଠାରୁ ୫ ତାରିଖ ଯାଏଁ ପାଳନ ହେବ। ଏଥିନିମନ୍ତେ ପିତା ମାତା ଓ ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ ହୋଇଛି। ପ୍ରତି ନିମନ୍ତ୍ରଣ ପତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦସ୍ତଖତ ଓ ବାର୍ତ୍ତା ବହନ କରିଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ତୁମ୍ବିଗୁଡା ଠାରେ ନୂତନ ଭାବେ ଚିହ୍ନଟ ଶିଶୁଙ୍କ ଘରକୁ ଘର ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ବ୍ଲକ ସଂଯୋଜକ ବଳରାମ ହୁଇକା, ସଦାନନ୍ଦ ନାୟକ ଓ ଅନ୍ୟ ସିଆରସିସି ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ , ନୂତନ ଚିହ୍ନଟ ଶିଶୁ ଓ ଅଭିଭାବକ ଉପସ୍ଥିତ ଥିଲେ । ଆସନ୍ତା ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ସମସ୍ତ ନବାଗତ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବା ନେଇ ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ବଳରାମ ହୁଇକା କହିଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରାଯାଇଅଛି। ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ବୟସର ଶିଶୁ ବିଦ୍ୟାଳୟରେ ଶିଶୁ ବାଟିକାରେ ଉତ୍ତମ, ସଙ୍ଗଠିତ ଏବଂ ଅନୁଭୂତିମୂଳକ ଶିକ୍ଷଣ ପ୍ରାପ୍ତ କରିବେ। ଏଥିପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ ହେବ। ଜିଲ୍ଲାରେ ନାମଲେଖାକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତି ବିଦ୍ୟାଳୟରେ ଅନେକ ଆକର୍ଷଣୀୟ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ କହିଛନ୍ତି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ