୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ Vision Document ୨୦୩୬ ଏବଂ Vision Document ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ Growth Engine ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି Vision Document ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ନୀତି ଆୟୋଗର ସି.ଇ.ଓ ଶ୍ରୀ ସୁବ୍ରମନିୟମ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି Vision Document ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।ଆଲୋଚନାରୁ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ Vision Document ପ୍ରସ୍ତୁତ କରାଯିବ ବୋଲି ଜଣା ଯାଇଛି। ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। Vision Documentର କାର୍ଯ୍ୟାନ୍ବୟନ ପାଇଁ ସ୍ୱତନ୍ତ୍ର Action Plan ମଧ୍ୟ ପ୍ରସ୍ତୁତ କରାଯିବ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନୀତି ଆୟୋଗର ସିଇଓ ଏବଂ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ସମସ୍ତ ବିଭାଗର ସଚିବ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
Related Posts
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଆଜି ସେ ଟାର୍ଗେଟ ସେଟ କରିଛନ୍ତି। ତାଙ୍କ କହିବା କଥା ଯେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ…
ଭୁବନେଶ୍ୱରରେ ଡ୍ରେନ ପାଣିରେ ଭାସିଗଲା ନାବାଳକ; ମୁକୁଳା ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱରରେ ଡ୍ରେନ ପାଣିରେ ଭାସିଗଲା ନାବାଳକ; ମୁକୁଳା ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ଵର: (ଅଭିଷେକ ମହାନ୍ତ)ଭୁବନେଶ୍ୱରରେ ଡ୍ରେନ ପାଣି ସୁଅରେ ଭାସିଗଲା ନାବାଳକ…
ଶିବ ଵିଵାହ ୨୦୨୪.
ଭୁବନେଶ୍ୱର: ଶୀତଳ ଷଷ୍ଠୀ ଯାତ୍ରା ସୁନାବେଡ଼ା ୧ ସ୍ଥିତ ବୃନ୍ଦାବତି ସଂସ୍ଥା ଠାରେ ଦୁମ ଧାମ ରେ ଶେଷ ହୋଇଯାଇଛି l ଏ ଇ ଏଫ ମାର୍କେଟ…