*ସୁଆଦିଆ ତାଳ ସଜ*
ପ୍ରକୃତି ଆମ ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରିଥାଏ। ବିଶେଷ କରି ଋତୁ ଅନୁଯାୟୀ ଆମ ଶରୀର ଆବଶ୍ୟକ କରୁଥିବା ଉପାଦାନ ସବୁ ପ୍ରକୃତି ଯୋଗାଇ ଥାଏ। ଏବେ ଖରା ଦିନ ଚାଲିଥିବା ବେଳେ ତରଭୁଜ, କାକୁଡି, ପଇଡ ପାଣି, ଆଖୁ ରସ ପରି ତାଳ ସଜ ମଣିଷ ପାଇଁ ପ୍ରକୃତିର ମହାନ୍ ଅବଦାନ।ଏବେ ରାସ୍ତା କଡ଼ରେ ତାଳ ସଜର ପସରା। ତାଳକୁ କାଟି ସଜ ବାହାର କରି ପତ୍ର ଠୋଲା ରେ ଗ୍ରାହକକୁ ବଢାଇ ଦେଉଛି ବେପାରୀ। ଲୋକେ ମଧ୍ୟ ଆଗ୍ରହର ସହ ଖାଉଛନ୍ତି। ଖଡ଼ିଆଳ ଅଞ୍ଚଳରେ ବହୁଳ ପରିମାଣରେ ତାଳ ଗଛ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ସ୍ଥାନରେ ସଜ ବିକ୍ରି ହେଉଛି। କିଛି ବ୍ୟକ୍ତି ଗଛରୁ ତାଳ ଫଳ ତୋଳି ବିକ୍ରି ପାଇଁ ପସରା ମେଲାଇଥାନ୍ତି। ପରେ କାଟିକି ସଜ ବାହାର କରି ବିକ୍ରି କରିଥାନ୍ତି। ଲୋକେ ଖାଇବା ସହ ଘର ପାଇଁ କିଣିକି ନେଇଥାନ୍ତି। ଏହା ସୁଆଦିଆ ଓ ଦେହ ପାଇଁ ବହୁତ ହିତକର ବୋଲି ଲୋକଙ୍କ ମତ। ଏହା ପାଟିକୁ ମଜା ଓ ଦେହକୁ ଥଣ୍ଡା ରଖିଥାଏ। ଉଦୁ ଉଦିଆ ଖରାରେ ଦେହ ଆବଶ୍ୟକ କରୁଥିବା ଜଳୀୟ ଅଂଶ ଏହାଠାରୁ ମିଳିଥାଏ। କଷି ଥିବା ବେଳେ ଏଥିରୁ ପ୍ରଚୁର ଜଳୀୟ ଅଂଶ ମିଳିଥାଏ ମଗାଁ ଗହଳିରେ ପ୍ରତ୍ୟେକ ଘରେ ତାଳ ସଜ ମିଳୁଥିବା ବେଳେ ଏବେ ସହରିଆ ଲୋକେ ମଧ୍ୟ ଏହା ଖାଇବାକୁ ପସନ୍ଦ କରିଛନ୍ତି। କେବଳ ତାଳର ସଜ ନୁହଁ, ସଜର ଜୁସ ଓ ପିଠା କରି ମଧ୍ୟ ଲୋକେ ଖାଇଥାନ୍ତି। ଅନେକ ପରିବାର ଏହା ବିକ୍ରୟ କରି ଭଲ ଦୁଇ ପଇସା ରୋଜଗାର କରୁଥିବା ବେଳେ କିଛି ସ୍ଥାନରେ ବଦାନ୍ୟ ବ୍ୟକ୍ତି ମାନେ ମାଗଣାରେ ଏହା ଖାଇବାକୁ ଦେଉଛନ୍ତି।ତାଳ ଫଳରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଶରୀର ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ଏହି ଗଛ ବହୁତ ଉଚ୍ଚ ହୋଇଥିବାରୁ ବଜ୍ରାଘାତରୁ ରକ୍ଷା କରିଥାଏ। ଏବେ ବଜ୍ରାଘାତ ପରିମାଣ ବୃଦ୍ଧି ପାଉଛି ଓ ଧନ ଜୀବନ ନଷ୍ଟ ହେଉଛି। ଏଣୁ ପରିବେଶବିତ ମାନେ ବହୁଳ ପରିମାଣରେ ତାଳ ଗଛ ଲଗାଇବାକୁ କହୁଛନ୍ତି। ଏଣୁ ଏହି ଗଛ ଲଗାଇଲେ ପରିବେଶର ସୁରକ୍ଷା ସହ ଖରାଦିନରେ ବହୁଳ ପରିମାଣର ଫଳ ମିଳି ପାରିବ ।