ଶିକ୍ଷାବିତଙ୍କୁ ଚଇତି ସମ୍ମାନ ରାୟଗଡା ଜିଲ୍ଲାର ଲୋକ ପର୍ବ ଚଇତି-୨୦୨୪ ଉପଲକ୍ଷେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା କାଶୀପୁର ବ୍ଲକ ଟିକିରି ଗ୍ରାମର ସ୍ବର୍ଗତ ରଘୁନାଥ ଦୁରିଆଙ୍କ ପୁତ୍ର ଶ୍ରୀ ମହେଶ୍ୱର ଦୁରିଆଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ତ୍ୱ ଏବଂ ଅବଦାନ ପାଇଁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଅଛି I ଶ୍ରୀ ଦୁରିଆ ବର୍ତ୍ତମାନ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ସହକାରୀ ପ୍ରାଧ୍ୟାପକ ଏବଂ ବିଭାଗୀୟ ମୂଖ୍ୟ ସହ କଲେଜ ଡେଭେଲପ୍ମେଣ୍ଟ କାଉନ୍ସିଲର ଡ଼ାଇରେକ୍ଟର ଭାବେ କାର୍ଯ୍ୟ ତୁଲାଉଛନ୍ତି I ଶ୍ରୀ ଦୁରିଆ ତାଙ୍କର ପାଠପଢ଼ା ଟିକିରି ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଟିକିରି ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ପାସ କଲା ପରେ କୋରାପୁଟ ସ୍ଥିତ ଡ଼ି.ଏ.ଭି. ସରକାରୀ ମହାବିଦ୍ୟାଳୟରୁ କଳାରେ ଯୁକ୍ତ ୨ ଏବଂ ରାଜନୀତି ବିଜ୍ଞାନ ଅନର୍ସ ରଖି ଯୁକ୍ତ ୩ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଟପ୍ପର ହୋଇଥିଲେ I ପରବର୍ତ୍ତୀ ଉଚ୍ଚ ଶିକ୍ଷା ନିମନ୍ତେ ସେ ସର୍ବ ଭାରତୀୟସ୍ତରର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ ହୋଇ ନୂଆଦିଲ୍ଲୀସ୍ଥିତ ସୁପ୍ରତିଷ୍ଠିତ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ରୁ ରାଜନୀତି ବିଜ୍ଞାନରେ ଏମ.ଏ ଏବଂ ଏମ.ଫିଲ ଶିକ୍ଷା ଲାଭ କରି ୨୦୦୫ ମସିହାରେ ପ୍ରଥମ ଅଧ୍ୟାପକ ଚାକିରୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରୁ ଆରମ୍ଭ କରିଥିଲେ I ୨୦୧୦ ମସିହାରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ ହୋଇ ମଧ୍ୟ ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ଶିକ୍ଷାବିତ ଭାବରେ ରହିବାକୁ ନିଷ୍ପତି ନେଇଥିଲେ I ଶ୍ରୀ ଦୁରିଆଙ୍କ ଚାକିରୀ କାଳରେ ଅବିଭକ୍ତ କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରୁ ବହୁ ଛାତ୍ର ଛାତ୍ରୀ ତାଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ଏବଂ ରାଜ୍ୟ ବାହାର ଅନେକ ସୁପ୍ରତିଷ୍ଠିତ ବିଶ୍ୱଵିଦ୍ୟାଲୟରେ ଉଚ୍ଚ ଶିକ୍ଷା ନିମନ୍ତେ ଯିବାକୁ ପ୍ରେରଣା ପାଇଛନ୍ତି ଏବଂ ବହୁ ଛାତ୍ର ଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରୀରେ ନିୟୋଜିତ ଅଛନ୍ତି I ଏହି ସମ୍ମାନ ପାଇଁ ସେ ତାଙ୍କ ପରିବାର ବର୍ଗ ଓ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି I ଶ୍ରୀ ମହେଶ୍ୱର ଦୁରିଆଙ୍କ ଚଇତି ସମ୍ମାନ ପାଇଁ କାଶୀପୁର ଅଞ୍ଚଳର ଶିକ୍ଷାବିତ ଓ ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିଛନ୍ତି I ରିପୋର୍ଟ ରୁ ପ୍ରଫୁଲ୍ଲ କୁମାର ବେହେରା !
