ରାୟଗଡ ବ୍ଲକ୍ ର କୁମୁଳାସିଂ ଗ୍ରାମରେ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି, ସାଧାରଣରେ ତେଜୁଛି ଅସନ୍ତୋଷ।
ଆର,ଉଦୟଗିରି ୧୯/୧୦ (ମନୋଜ କୁମାର ପାଢୀ) – ଭାରତ ହେଉଛି ଗଣତନ୍ତ୍ର ରାଷ୍ଟ୍ର ଏହି ଗଣତନ୍ତ୍ର ରାଷ୍ଟ୍ର ରେ ଜନତା ହେଉଛନ୍ତି ପ୍ରକୃତ ମାଲିକ। ତେଣୁ ସରକାରଙ୍କ ଯେ କୌଣସି ଯୋଜନା ହେଉ ଅବା ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତ୍ୟେକ ଟି ସ୍ଥାନରେ କାର୍ଯ୍ୟ ଆରମ୍ଭ ରୁ ହିଁ ପ୍ରକଳ୍ପ କାର୍ଯ୍ୟର ନାମ ସବିଶେଷ ତଥ୍ୟ ତଥା ସୂଚନା ଫଳକ ଉନ୍ମୋଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କଢା ନିର୍ଦ୍ଦେଶ ରହିଛି। କିନ୍ତୁ, ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କୁମୁଳାସିଂ ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ତିନୋଟି ନୂତନ କୋଠା ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି। କିନ୍ତୁ, ଉକ୍ତ ତିନୋଟି ନୂତନ କୋଠା ନିର୍ମାଣ ପାଇଁ କେତେ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ଯାଏଁ ରହିଛି ତାହା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ପ୍ରଶାସନ ଭୁଲିଯାଇଛି। ଏ ନେଇ ଜନସାଧାରଣ ଅନ୍ଧକାରରେ ରହିଥିବା ବେଳେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିନଠାରୁ ହିଁ ନିର୍ମାଣକାରୀ ସଂସ୍ଥାର ଉଦ୍ଦେଶ୍ୟ ସନ୍ଦେହ ଘେରରେ ରହିଥିବା ବେଳେ ଏ ଯାଏ ତାହା ବଳବତ୍ତର ରହିଛି। ଏ କ୍ଷେତ୍ରରେ ସ୍ଥାନୀୟ ବ୍ଲକ୍ ପ୍ରଶାସନର ଦାୟିତ୍ୱ ହୀନତାକୁ ବିଭିନ୍ନ ମହଲରେ ଦାୟୀ କରାଯାଇଛି। ତେବେ ଏଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କାହାକୁ ଲାଭ ପହଞ୍ଚାଇବା ପାଇଁ ଏଭଳି ଗୁପ୍ତ ଭାବେ କାର୍ଯ୍ୟ କରାଯାଉଛି। କାର୍ଯ୍ୟ ଆରମ୍ଭ ରୁ ହିଁ କାର୍ଯ୍ୟସ୍ଥଳୀ କୁ ଜିଲ୍ଲାର ବଡ଼ ଅଧିକାରୀ ମାନେ ଆସନ୍ତି କିନ୍ତୁ ଉପରସ୍ଥ ଅଧିକାରୀ ବି କାହିଁକି ଏହି ବିଷୟକୁ ଅତି ଗମ୍ଭୀରତାର ସହ ନେଇ ତଳସ୍ତର ଅଧିକାରୀଙ୍କୁ ତାଗିଦ କରୁ ନାହାନ୍ତି ତାହା ସନ୍ଦେହ ଘେରରେ ଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ସାଧାରଣ ମହଲରେ ଅନୁମାନ କରାଯାଉଛି। ତେବେ ଏହି ଘଟଣା ଖବର କାଗଜ ରେ ପ୍ରକାଶିତ ପରେ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ସଚେତନ ହେଉଛନ୍ତି କି ନା ନାହିଁ ତାହା ଦେଖିବାକୁ ରହିଲା।