ରାଜ୍ୟସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନ

ରାଜ୍ୟସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନ ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନାଇଟେଡ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ସହଭାଗିତାରେ ଆଜି ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ସହ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନ ୩୦ ଜିଲ୍ଲାଟିକୁ ବ୍ୟାପି ଥିବାବେଳେ ଆଜି ଉଦଯାପନୀ ଉତ୍ସବରେ ଭୁବନେଶ୍ୱରସ୍ଥିତ ଶ୍ରୀୟା ଛକ ଠାରୁ ମାଷ୍ଟର କାଣ୍ଟିନ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ମହିଳାମାନଙ୍କ ଦ୍ୱାରା ଏକ ମାନବଶୃଙ୍ଖଳ ସହ ପଦଯାତ୍ରା ଦ୍ୱାରା ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦଯାତ୍ରା ସହ ବିଭିନ୍ନ ପ୍ରକାର ପଥପ୍ରାନ୍ତ ନାଟକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ମଧ୍ୟ ଯୋଗ ଦେଇଥିଲେ । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମହିଳାମାନଙ୍କୁ ଉତ୍ସାହିତ କରି କହିଲେ ଯେ ଏକ ସଭ୍ୟ ସମାଜରେ ଲିଙ୍ଗଗତ ହିଂସାର କୌଣସି ସ୍ଥାନ ନାହିଁ । ସବୁପ୍ରକାର ବୃତ୍ତିରେ ମହିଳାମାନେ ନିଜ ଦକ୍ଷତା ପ୍ରମାଣ କରିପାରିଛନ୍ତି ଓ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ଦୃଢ ମତ ରଖିଛନ୍ତି । ଆଜି ରାଜ୍ୟର ୮୦ ଲକ୍ଷ ମହିଳା ସୁଭଦ୍ରା ସହ ଯୋଡି ହେଇଛନ୍ତି, ୭୦ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡି ହେଇଛନ୍ତି । ବିକଶିତ ଓଡ଼ିଶାରେ ଲିଙ୍ଗଗତ ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସ୍ୱୀକାରୋକ୍ତି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିମାନଙ୍କ ସମେତ ସେଠାରେ ଉପସ୍ଥିତ ଜନସାଧାରଣ ମଧ୍ୟ ଲିଙ୍ଗଗତ ହିଂସା ବିରୋଧରେ ଶପଥ ଗ୍ରହଣ କରିଥିଲେ ।ଏହି ପଦଯାତ୍ରା କାର୍ଯ୍ୟକ୍ରମ ପରେ ଶ୍ରୀୟା ଛକ ଠାରେ ଥିବା ହୋଟେଲ ହିନ୍ଦୁସ୍ଥାନରେ ବ୍ଲକ ଚେନ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ଶକ୍ତି ଆପ୍ଲିକେସନ ମାନ୍ୟବର ଉପମୁଖମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଆପ୍‌ ଲିଙ୍ଗଗତ ହିଂସା ଦ୍ୱାରା ଶିକାର ହୋଇଥିବା ମହିଳାମାନଙ୍କ ସମ୍ମାନକୁ ସୁରକ୍ଷା ଦେବା ସହ ସମାଜରେ ମହିଳାମାନଙ୍କୁ ଉଚିତ ସମ୍ମାନ ଯୋଗାଇଦେବ । ପରୀକ୍ଷାମୂଳକ ଭାବେ ଏହି ଆପ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିଲା । ଏବେ ଏହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ହିଂସାର ଶିକାର ହୋଇଥିବା ମହିଳାମାନଙ୍କର ଗୋପନୀୟତା ରକ୍ଷା କରିବା ସହ ଏହି ଆପ ଘଟଣାର ସବିଶେଷ ବିବରଣୀକୁ ସବୁଦିନ ପାଇଁ ସରଂକ୍ଷିତ କରି ରଖିଥାଏ, ଯାହା ଦ୍ୱାରା ମହିଳାମାନଙ୍କୁ ବାର ବାର ସେଇ ଘଟଣାକୁ କହିବାକୁ ପଡିବ ନାହିଁ । ଏହିପରି ଭାବେ ଏହି ଆପରେ ଅନେକ ସୁବିଧା ଯୋଗାଇ ଦିଆଯାଇଛି, ଯାହା ଦ୍ୱାରା ଆମେ ରାଜ୍ୟରେ ଘଟୁଥିବା ଲିଙ୍ଗଗତ ହିଂସାକୁ ନିରୀକ୍ଷଣ କରିପାରିବା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ଓ ୟୁଏନେଫପିଏ ରାଜ୍ୟ ମୁଖ୍ୟ ମହମ୍ମଦ ନଦିମ୍‌ ନୁର ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ ଜିଲ୍ଲାରେ ମହିଳା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନର ଅଧିକାରୀବୃନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ ଓ ୟୁନାଇଟେଡ଼ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *