‘ସଭିଙ୍କୁ ମିଳିବ ସେମାନଙ୍କ ସ୍ୱପ୍ନର ଘର’
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ କାର୍ଯ୍ୟକ୍ରମ
ବାସହୀନ ଗରିବ ପରିବାରଙ୍କୁ ପକ୍କା ଗୃହ ଯୋଗାଇବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ
ରାଉରକେଲା, ୦୪ ଜାନୁଆରୀ ୨୦୨୫: ସଭିଙ୍କୁ ମିଳିବ ସ୍ଵପ୍ନର ଘର। ରାଉରକେଲା ସହରାଞ୍ଚଳରେ ରହୁଥିବା ବାସହୀନ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇବା ଉଦ୍ଦେଶ୍ଯ ନେଇ ଆଜି ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)- ୨.୦ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥ ଆରଏମସି ମୁଖ୍ୟାଳୟ ସମ୍ମୁଖରୁ ବାହାରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ରଥ ସମଗ୍ର ରାଉରକେଲା ସହର ପରିକ୍ରମା କରି ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଇବ।
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି ଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ସଚେତନ କରିବା ପାଇଁ ନିୟମିତ ଭାବେ ସ୍ଵତନ୍ତ୍ର ସଚେତନତା ଶିବିରର ମଧ୍ୟ ଆୟୋଜନ କରାଯିବ। ଏହି ଅବସରରେ ଆଜି ସ୍ଥାନୀୟ ପ୍ରଧାନପାଲ୍ଲୀ ଅଞ୍ଚଳରେ ଏକ କ୍ୟାମ୍ପର ଆୟୋଜନ କରାଯାଇଥିଲା। ଆରଏମସିର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କୁ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ସ୍ଥାନୀୟ ବାସିନ୍ଦାମାନେ ଆବଶ୍ୟକୀୟ ଦସ୍ତାବିଜ୍ ସହ ଶିବିରରେ ପହଁଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥି ହେବା ପାଇଁ ଆବେଦନ କରିଥିଲେ।
ନିଜସ୍ଵ ଜମି ପଟ୍ଟା ତଥା ଜମି ପ୍ରମାଣପତ୍ର ଥିବା ବ୍ୟକ୍ତି ସରକାରଙ୍କ ଏହି ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆବେଦନ କରିପାରିବେ। ସେହିପରି ଭାବେ ନିଜସ୍ଵ ଜମି ନଥିଲେ ମଧ୍ୟ (ପିପିପି) ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ କରାଯାଉଥିବା ସୁଲଭ ବାସଗୃହ ପ୍ରକଳ୍ପରେ ନିଜସ୍ଵ ଗୃହ ନିମନ୍ତେ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସୁଲଭ ବାସଗୃହ ପ୍ରକଳ୍ପରେ ମୋଟ ୨୬୦୦ଟି ଗୃହ ନିର୍ମାଣ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରାଞ୍ଚଳରେ ୯୦୦ ରୁ ଅଧିକ ହିତାଧିକାରୀ ପକ୍କା ଘର ପାଇ ସାରିଛନ୍ତି। ଏଥିସହ ଛେଣ୍ଡ ଠାରେ ନିର୍ମିତ ସୁଲଭ ବାସଗୃହ ପ୍ରକଳ୍ପରେ ମୋଟ ୫୦୦ଟି ଗୃହ ନିର୍ମାଣ କରାଯାଇଥିବା ବେଳେ ଗୃହ ଆବଣ୍ଟନ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ବସ୍ତି ବାସିନ୍ଦାମାନଙ୍କୁ ସେଠାକୁ ସ୍ଥାନାନ୍ତରଣ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ ଓ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ ଓ ଶ୍ରୀଯୁକ୍ତ ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।