ଆନ୍ଧ୍ରପ୍ରଦେଶ:ଯାଞ୍ଚ ସମୟରେ ଏକ ଘରୋଇ ବସରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି ପୋଲିସ । ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରେ ପୋଲିସ ଚେକିଂ କରୁଥିବା ସମୟରେ ବସ୍ ଭିତରୁ ମିଳିଛି ଏହି ଟଙ୍କା ।ସୂଚନା ମୁତାବକ, ଘରୋଇ ଟ୍ରାଭେଲ ବସଟି ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିଲା ଆଉ ସେହି ସମୟରେ ପୋଲିସ ଯାଞ୍ଚ କରିଥିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଅନ୍ତର୍ଗତ ଗୋପାଳପୁରମ ପଞ୍ଚାୟତର ଜଗନ୍ନାଧପୁରମ ଗାଁ ନିକଟରେ । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ଯେ, ବାହାର ରାଜ୍ୟରେ ଟଙ୍କା ଧରାପଡିଥିବା ଉକ୍ତ ବସର ନମ୍ୱର OD 10 DW 4387 । ଅର୍ଥାତ ଏହି ବସଟି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା ।
ପୋଲିସ କହିବା ମୁତାବକ, ବସ କ୍ୟାବିନରୁ ବ୍ୟାଗ ଭର୍ତ୍ତି ଟଙ୍କା ମିଳିଛି । କୁର୍ନୁଲର ଆୟୁଲା ଚିନା ଚେନ୍ନାୟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିଲେ । ତେବେ ସେ କେଉଁଠୁ ଏବଂ କେଉଁ ସ୍ଥାନକୁ ଏତେ ପରିମାଣର ଟଙ୍କା ନେଇ ଯାଉଥିଲେ ତାହା ପୋଲିସ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ପୋଲିସର ସନ୍ଦେହଘେରକୁ ଆସିଥିଲେ ବ୍ୟକ୍ତିଜଣକ । ପୋଲିସ ବର୍ତ୍ତମାନ ଉକ୍ତ ଟଙ୍କାକୁ ଜବତ କରିଛି ।