ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ
ଭୁବନେଶ୍ୱର:(Abhishek Mohanty)
ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ପରିଦର୍ଶନ କରିଥିଲେ । ତାଙ୍କ ସହିତ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ୨୦୨୨ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର)ର ୬ଜଣ ପ୍ରୋବେସନର ଅଧିକାରୀ ଯାଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପହଞ୍ଚିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରର, ସେଣ୍ଟର ଅଫ ଏକ୍ସେଲେନ୍ସର ସଂଯୋଜକ ଓ ଅନ୍ୟ ପ୍ରାଧ୍ୟାପକମାନେ ସ୍ୱାଗତ କରିଥିଲେ । ଆଇଏଏସ୍ ଶିକ୍ଷାନବିଶମାନେ ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ସଂପର୍କରେ ଅବଗତ ହୋଇଥିଲେ । ମୁଖ୍ୟ ଶାସନ ସଚିବ “ସେଣ୍ଟର ଅଫ ଏକ୍ସେଲେନ୍ସ” ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି କେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ବିଷୟରେ ଗବେଷଣା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବିଶ୍ୱ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହିତ ଗବେଷଣା କାର୍ଯ୍ୟ ଓ ଗବେଷଣା ପ୍ରକାଶନକୁ ମୁଖ୍ୟ ଶାସନ ସଚିବ ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ସେଣ୍ଟର ଅଫ ଏକ୍ସେଲେନ୍ସ ଗବେଷଣା କ୍ଷେତ୍ରରେ କିପିରି ଉତ୍କର୍ଷତା ପ୍ରତିପାଦନ କରିବ, ସେ ଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକମାନେ ଗୁରୁତ୍ୱ ଦେବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ, ସେ ଦିଗରେ ସେ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିଲେ ।