ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ଯୋଜନା ଓ ସଂଯୋଜନ ବିଭାଗ ପରିଦର୍ଶନ
ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୨ ବ୍ୟାଚର ୬ ଜଣ ଓ ୨୦୨୩ ବ୍ୟାଚର ୮ ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍ ପ୍ରୋବେସନର) ଶନିବାର ଲୋକସେବା ଭବନରେ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଆଇଏଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କର ବିଭିନ୍ନ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା । ଏଜେଣ୍ଡା-୨୦୩୦ର କାର୍ଯ୍ୟକାରିତା ଦିଗରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ତଥା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଆଲୋକପାତ କରିବା ସହ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପରେ ଆଗାମୀ ଦିନରେ ବିଭିନ୍ନ ପଦପଦବୀରେ ନିଜର ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବାକୁ ଥିବା ବେଳେ ନିରନ୍ତର ବିକାଶ ଲକ୍ଷ୍ୟ ରଖି ସେମାନେ ଅନ୍ତର୍ଭୁକ୍ତିକରଣ, ସମାନତାର ନୀତିକୁ ବଜାୟ ରଖିବା ସହ ବିକାଶ ପ୍ରକ୍ରିୟାରେ କେହି ଯେପରି ପଛରେ ପଡ଼ି ନଯା’ନ୍ତି, ତାହାକୁ ଦୃଷ୍ଟି ଦେଇ ହାରାହାରି ଓ ସାମଗ୍ରିକ ପ୍ରଗତିର ଆକଳନ ଠାରୁ ଆଗକୁ ବଢ଼ିବା ପାଇଁ ବିଭିନ୍ନ ସ୍ତରରେ ଥିବା ସବୁ ବର୍ଗର ଜନସଂଖ୍ୟା ଗୋଷ୍ଠୀଙ୍କୁ ସାମିଲ କରି ପ୍ରଗତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପୂର୍ବରୁ ଏହି ସମସ୍ତ ଆଇଏସ୍ ପ୍ରୋବେସନର ରାଜୀବ ଭବନସ୍ଥିତ ଜଳସମ୍ପଦ ବିଭାଗରେ ନିର୍ମାଣ ନିଗମ ଲି. (ଓସିସିଏଲ)ତରଫରୁ ଆଗାମୀ ଲକ୍ଷ୍ୟ ଓ କାର୍ଯ୍ୟ ସଂପର୍କିତ ଏକ ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।