ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ
ରାୟଗଡା, ୧୩/୧୧ – ବହୁ ଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଆଜି ରାୟଗଡା ଏସ.ଡି.ଜେ.ଏମ କୋର୍ଟ ଜାମିନ ବିହିନ ଗିରଫ ପରୱାନା (ଏନ. ବି.ଡବ୍ଲ୍ୟୁ ) ଜାରି କରିଛନ୍ତି । ଭାସ୍କର ରାଓଙ୍କ ସମେତ, ବିଜେପି ନେତା ୟେଲା ଭେଙ୍କଟେଶ୍ୱର ରାଓ(କୋଣ୍ଡାବାବୁ), କେ. କ୍ରୀଷ୍ମା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ
ପି. ଦିଲୀପ କୁମାରଙ୍କ ନାମରେ ଏସ.ଡି.ଜେ.ଏମ ବର୍ଷା
ଦାଶ ଏନ.ବି.ଡବ୍ଲ୍ୟୁ ଜାରି କରିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଯୁବ ଆଦିବାସୀ ନେତା ଭାଗିରଥ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ
କରିଥିଲେ । ଅଭିଯୋଗର ୪ ଦିନ ପରେ ତାଙ୍କ ମୃତ ଦେହ ଆନ୍ଧ୍ର ପ୍ରଦେଶ କୋମରଡା ଡ୍ୟାମ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଥିଲା ।ତେବେ ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଘଟଣାର ସପ୍ତାହ ପରେ ମୃତ ଦେହର ଫଟୋ ଜାରି କରିବା ପରେ ଭାଗିରଥୀଙ୍କ ମୃତ ଦେହ ବୋଲି ପରିବାରବର୍ଗ ଚିହ୍ନଟ କରିଥିଲା । ହତ୍ୟା ମାମଲା ରୁଜୁ କରି ରାୟଗଡା ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ
କରିଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ରାୟଗଡା ବନ୍ଦ
ପାଳନ କରିଥିଲା । ରାୟଗଡା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀ ମାସରେ
କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । ଏହି ଘଟଣାରେ ରାଜ୍ୟ କ୍ରାଇମ ବ୍ରାଞ୍ଚ ଦୀର୍ଘ ବର୍ଷ କରି ତଦନ୍ତ କରୁଥିଲେ ମଧ୍ୟଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । କିନ୍ତୁ କ୍ରାଇମ ବ୍ରାଞ୍ଚ ଏହି ଘଟଣାରେ ସଂପୂଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନକରିଥିଲା । କ୍ରାଇମ ବ୍ରାଞ୍ଚର ତଦନ୍ତରେ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନହୋଇ ବିଭିନ୍ନ ସମୟରେ ସି.ବି.ଆଇ
ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ । ଆଜି ଏସ.ଡି.ଜେ.ଏମ କୋର୍ଟ ୬ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ ଜାରୀ
କରିବା ପରେ ପରିବାରବର୍ଗ ଓ ଆଦିବାସୀ ସଂଘ ଭାଗିରଥୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ