ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂଣ୍ୟ ଜୟନ୍ତୀ ଅବସରରେ “ଜନଜାତି ଗୌରବ ବର୍ଷ” ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂଣ୍ୟ ଜୟନ୍ତୀ ଅବସରରେ “ଜନଜାତି ଗୌରବ ବର୍ଷ” ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂଣ୍ୟ ଜୟନ୍ତୀ ଅବସରରେ ୨୦୨୫ ମସିହାକୁ “ଜନଜାତି ଗୌରବ ବର୍ଷ” ରୂପେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୧୫ ତାରିଖରେ ଏହି ଉତ୍ସବର ଶୁଭାରମ୍ଭ କରାଯାଇ ସମଗ୍ର ଭାରତ ବର୍ଷର ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ସ୍ଵତନ୍ତ୍ର ଗ୍ରାମ ସଭା ତ‌ଥା ପ୍ରଶିକ୍ଷଣ ଶିବିର ଆୟୋଜନ କରା‌ଯିବ ।ଏହିକ୍ରମରେ ଆମ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ଟି ବ୍ଳକ୍‌ରେ ଥିବା ୨୪୦୮ଟି ଗ୍ରାମପଞ୍ଚାୟତ ଅନ୍ତଃର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ଵ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ସ୍ଵତନ୍ତ୍ର ପଲ୍ଲୀସଭାରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପଠନ ସହ ସ୍ଵଚ୍ଛତା ରକ୍ଷା ଏବଂ ନିଶା ନିବାରଣ ନିମନ୍ତେ ଶପଥ ନିଆଯିବ । ଗାଁର ବିକାଶ ନିମନ୍ତେ କାର୍ଯ୍ୟରତ ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସ୍ଵତନ୍ତ୍ର ପଲ୍ଲୀସଭାର ସଭାପତି, ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରିବେ । ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ପଲ୍ଲୀସଭା ବୈଠକ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟୁନ ୫୦ ଜଣ ଯୋଗ ଦେବେ । ଉକ୍ତ ରାଜସ୍ଵ ଗ୍ରାମର ଅଧିବାସୀ ବିଶେଷତଃ ମହିଳା, ଯୁବପିଢି , ଅନୁସୂଚୀତ ଜାତି ଓ ଜନଜାତି ସଂପ୍ରଦାୟର ସାଧାରଣ ଜନତା ଓ ଏଥି ସହିତ ଗ୍ରାମ ସ୍ତରରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସହାୟିକା, ବେସରକାରୀ ସଂଗଠନର ପ୍ରତିନିଧି ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଆଦି ଅଂଶଗ୍ରହଣ କରିବେ । ଏହି ସ୍ଵତନ୍ତ୍ର ପଲ୍ଲୀସଭା ବୈଠକ ତଥା ପ୍ରଶିକ୍ଷଣରେ ପଞ୍ଚାୟତ/ବ୍ଳକ୍/ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନର ପ୍ରତିନିଧିମାନେ ସମ୍ବଳ ବ୍ୟକ୍ତି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ଅନୁସୂଚୀତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ୍(ପେସା), ଜଙ୍ଗଲ ଅଧିକାର ଆଇନ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ତଥା ସଂପୃକ୍ତ ଗ୍ରାମପଞ୍ଚାୟତର ୨୦୨୫-୨୬ ମସିହା ନିମନ୍ତେ ଗ୍ରାମପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତି ତଥା ପଞ୍ଚାୟତ ବିକାଶ ସୂଚୀର ସ୍ଥିତି ସଂପର୍କରେ ଅବଗତ କରିବେ । ଏତଦ୍ ବ୍ୟତୀତ ପଲ୍ଲୀସଭା ସ୍ଥଳରେ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଓ କୁପୋଷଣର ଶିକାର ହୋଇଥିବା ଶିଶୁ ମାନଙ୍କୁ ଚିହ୍ନଟ ଆଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇପାରିବ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯକ୍ରମକୁ ସମାପ୍ତ କରାଯିବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଗ୍ରାମପଞ୍ଚାୟତର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି । ପ୍ରତି ପଲ୍ଲୀସଭା ବୈଠକ ଓ ପ୍ରଶିକ୍ଷଣ ଶିବିର ଆୟୋଜନ ନିମନ୍ତେ ରାଷ୍ଟ୍ରୀୟ ଗ୍ରାମ ସ୍ଵରାଜ ଅଭିଯାନରୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ରାଜ୍ୟ ସ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଜିଲ୍ଲା ସ୍ତରରେ ଜିଲ୍ଲାପରିଷଦ ଓ ବ୍ଲକ୍‌ର ସମନ୍ଵୟରେ ଏହି କାର୍ଯ୍ୟକ୍ରମର ତଦାରଖ କରାଯିବ । ଜିଲ୍ଲା ସ୍ତରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ (ଡିପିଓ), ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲୁଓ), ବ୍ଳକ୍ ସ୍ତରରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ), ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ), ପଞ୍ଚାୟତ ସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ହିସାବ ରକ୍ଷକ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ରୂପେ ଦାୟିତ୍ଵନିର୍ବାହ କରିବେ l ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅଂଶଗ୍ରହଣ କରି ଗ୍ରାମର ବିକାଶ ତଥା ଜଙ୍ଗଲ ଅଧିକାର ଆଇନ୍ ସଂପର୍କରେ ଅଧିକ ଅବଗତ ହେବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସଂପୃକ୍ତ ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି ।

Leave a Reply

Your email address will not be published. Required fields are marked *