ବିନା ଅନୁମୋଦନରେ ୫ମହଲା କୋଠା ନିର୍ମାଣରାସ୍ତା ଉପରେ ପାର୍କିଂ ଯୋଗୁଁ ଉପୁଜୁଛି ଟ୍ରାଫିକ ସମସ୍ୟା
ରାୟଗଡ଼ା- ରାୟଗଡ଼ା ପୌରାଂଚଳରେ ଦିନକୁ ଦିନ ରାସ୍ତା ଜବରଦଖଲ ଓ ପାର୍କିଂକୁ ନେଇ ହରଡ଼ଘଣାରେ ପଡ଼ୁଛି ପୋଲିସ । ବିଶେଷ ଭାବେ ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଦୋକାନଗୁଡ଼ିକ ସମ୍ମୁଖରେ ରାସ୍ତା ଉପରେ ଗାଡ଼ି ପାର୍କିଂ, ଉଠା ଦୋକାନୀ କାରଣରୁ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ସେହିଭଳି ସହରର ଏସବିଆଇ(ଏଡିବି) ବ୍ରାଂଚ ଶାଖା ଗଳି, ଭାମସି କ୍ରିଷ୍ଣା ହୋଟେଲ ଗଳି, ଆଇଡିବିଆଇ ଓ ଏଚଡିଏଫସି ବ୍ୟାଙ୍କ ଗଳି, ପିଏନବି ବ୍ୟାଙ୍କ ଛକ, ୟୁନିୟନ ବ୍ୟାଙ୍କ ସାମ୍ନା ଆଦି ସ୍ଥାନରେ ମନଇଚ୍ଛା ଗାଡ଼ି ପାର୍କିଂ ଯୋଗୁଁ ଓ ସରକାର ଜାଗା ଜବରଦଖଲ ଯୋଗୁଁ ଯାତାୟତ ସମୟରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନଥିବାରୁ ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଆସିଥିବା ଲୋକେ ନିଜର ମୋଟରସାଇକେଲ ଠାରୁ ଆରମ୍ଭ ଚାରି ଚକିଆ ଯାନ ରାସ୍ତା କଡ଼ରେ ରଖୁଛନ୍ତି । ଫଳରେ ଅଧାରୁ ଅଧିକା ରାସ୍ତା ପାର୍କିଂ କବଜାରେ ରହୁଛି । ଯାହାଫଳରେ ଉକ୍ତ ରାସ୍ତା ଦେଇ ଅନ୍ୟ ଗାଡ଼ି ଯିବା ଅସମ୍ଭବ ହୋଇପଡ଼ୁଛି । ତେବେ ଅନୁମୋଦିତ ଟାଉନ ପ୍ଲାନିଂ ଆଧାରରେ କୋଠା ନିର୍ମାଣ ନକରି ମନଇଚ୍ଛ ବେଆଇନ କୋଠା ନିର୍ମାଣ ମୁଖ୍ୟ କାରଣ ବୋଲି ସହରର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ପୁରୁଣା ପଞ୍ଜାବ ହୋଟେଲ ଛକ ନିକଟରେ ଦୁଇଟି ଘରୋଇ ଲ୍ୟାବ କୋଠାରେ ପାର୍କିଂ ବ୍ୟବସ୍ଥା ନଥିବା କାରଣରୁ ସେଠାକୁ ଆସୁଥିବା ରୋଗୀ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି । ଯାହାଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ଏଭଳିକି ଉକ୍ତ ଛକରେ ରହିଥିବା ଏକ ୫ ମହଲା କୋଠା ଟାଉନ ପ୍ଲାନିଂରେ ଷ୍ଟିଲ୍ଟ ଓ ୩ ମହଲା କୋଠା ପାଇଁ ଅନୁମତି ନେଇ ବେଆଇନ ଭାବେ ୫ମହଲା କୋଠା ନିର୍ମାଣ କରାଯାଇଛି । ହେଲେ ସେଠାରେ ପାର୍କିଂ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏଭଳିକି ବ୍ୟକ୍ତିଗତ ଗୃହ ନିର୍ମାଣ ପାଇଁ ଅନୁମୋଦିତ ପ୍ଲାନ ବଦଳରେ ସେଠାରେ ୫ ମହଲା ବିଶିଷ୍ଟ ସପିଂ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି । ଯାହାଫଳରେ ପୌର ପ୍ରଶାସନର ବ୍ୟାପକ ରାଜସ୍ୱ ହାନି ଘଟୁଛି । ଏହା ସହିତ ଡ୍ରେନ ଉପରେ କଂକ୍ରିଟ ପ୍ଲେଟ ନିର୍ମାଣ କରିବା ପାଶ୍ୱର୍ରେ ଯାଇଥିବା ରାସ୍ତା ଉପର ମଧ୍ୟ କବଜା କରି ରଖାଯାଇଛି । ତେବେ ଉକ୍ତ ଛକଟି ତ୍ରିକୋଣୀୟ ହୋଇଥିବା ବେଳେ ଦୁଇଟି ଘରୋଇ ଲ୍ୟାବ ରମେଶ ଓ ବେଲା ଅଗ୍ରୱାଲ ଏବଂ ଟାୟୋ ଲ୍ୟାବରେ ଗାଡ଼ି ପାର୍କିଂ ଯୋଗୁଁ ଉକ୍ତ ରାସ୍ତା ଦେଇ କୌଣସି ଯାନବାହନ ଯାତାୟତ କଲେ ଅସୁବିଧା ଉପୁଜୁଛି । ଏନେଇ ମଙ୍ଗଳବାର ଜନସାଧାରଣ ରାୟଗଡ଼ା ଟାଉନଥାନାକୁ ସୂଚନା ଦେବା ପରେ ପୋଲିସ ସେଠାରେ ପହଂଚି ସମସ୍ତ ବ୍ୟାଙ୍କ ସମେତ ଉକ୍ତ ଦୁଇ ଘରୋଇ ଲ୍ୟାବକୁ ମଧ୍ୟ ପାର୍କିଂ ବ୍ୟବସ୍ଥା କରିବାକୁ ଚେତାବନୀ ଦେଇଥିଲେ । ଏନେଇ ପୌର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ବେଆଇନ ଘର ନିର୍ମାଣ ଓ ପାର୍କିଂ ନଥିବା ସମସ୍ୟାକୁ ବିଭାଗ ଗୁରୁତ୍ୱର ସହିତ ନେବା ସହିତ ସେମାନଙ୍କୁ ନୋଟିସ କରାଯାଇଛି । ଏନେଇ ପୌର ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ