ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦିଅନ୍ତୁ
ଆର,ଉଦୟଗିରି(ମନୋଜ କୁମାର ପାଢୀ) 3/3 : ଯେଉଁ ସଂଗ୍ରାମୀମାନେ କଠୋର ପରିଶ୍ରମ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିଥିଲେ ଅଦ୍ୟାବଧି ଓଡ଼ିଶା ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଏତଦବ୍ୟତୀତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ପାଇଁ ଯେଉଁ ଉଦ୍ୟମ କରିଥିଲେ ତାହା କାର୍ଯ୍ୟକାରୀ କରିବାରେ ଏ ପର୍ଯ୍ୟନ୍ତ ଅଧୁରା ହୋଇ ରହିଯାଇଛି । ତେଣୁ ଅବହେଳିତ ଅବସ୍ଥାରେ ରହିଥିବା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦିଅନ୍ତୁ ବୋଲି ରବିବାର ଅପରାହ୍ନରେ ସ୍ଥାନୀୟ ଉକଳ ଆଶ୍ରମ ପରିସରରେ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ଛତିଶଗଡ଼ ଶାଖା ତରଫରୁ ଆୟୋଜିତ ଭାଷା ସମ୍ମିଳନୀ ଓ ଆଲୋଚନାଚକ୍ରରେ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ଛତିଶଗଡ଼ ଶାଖାର ଆବାହକ ଅଧ୍ୟାପକ ଜୟକୃଷ୍ଣ (ଶ୍ରୀ ବିପ୍ଲବ)ଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ମୁଖ୍ୟବକ୍ତା ରୂପେ ଗଞ୍ଜାମ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ), ସମ୍ମାନିତ ଅତିଥି ଭାବେ ସୁଲେଖିକା ଡ଼. ସୂଚନା ପାଢ଼ୀ, ସମ୍ମାନିତ ବକ୍ତା ରୂପେ ବରିଷ୍ଠ ଶିକ୍ଷାବିତ୍ ସରୋଜ କାନ୍ତ ରଥ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼. ବିମଳ ପ୍ରସାଦ ପଟ୍ଟନାୟକ, ସ୍ତମ୍ଭକାର ଦେବୀ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ବିଚ୍ଛିନ୍ନ୍ଜାଞ୍ଚଳ ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଓଡ଼ିଆମାନଙ୍କ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେମାନଙ୍କର ସମସ୍ୟା ସମାଧାନ ପାଇଁ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମୁଖ୍ୟଅତିଥି ଶ୍ରୀ ରଥ ଦାବି କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଡ଼. ବିଜୟ ଚନ୍ଦ୍ର ମହାରଣା ଏଥିରେ ସଭାପତିତ୍ଵ କରିଥିଲେ । ଏହି ଅବସରରେ ସରକାରୀ ଚାକିରୀରୁ ଅବସରଗ୍ରହଣ କରିଥିବା ସୁଲେଖିକା ପଦ୍ମିନୀ ମିଶ୍ର ଓ ସାମ୍ୱାଦିକ ସୁଦୀପ କୁମାର ସାହୁଙ୍କୁ ଭାଷା ସୁରକ୍ଷା ସମ୍ମାନ ତରଫରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ସ୍ତବକ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା ।ପ୍ରାରମ୍ଭରେ ପରଲୋକ ଗମନ କରିଥିବା ଉକଳ ସମ୍ମିଳନୀ ଗଞ୍ଜାମ ଶାଖାର ପୂର୍ବତନ ସଭାପତି ମନ୍ମଥ ପାଢ଼ୀ ଓ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ମୃତିଚାଣଣ ସହ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ କବୟିତ୍ରୀ ସ୍ଵର୍ଣ୍ଣମୀୟ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବି ଶଙ୍କର୍ଷଣ ତ୍ରିପାଠୀ, ବି. ସତ୍ୟମ୍ ଆଚାରୀ, ବଳରାମ ପଲାଇ, ସୋମନାଥ ସାହୁ, ଚନ୍ଦ୍ରଶେଖର ମହାପାତ୍ର, କବୟିତ୍ରୀ ମୀରାବାଇ ପଣ୍ଡା, ଡ଼ା. ସ୍ମରଣିକା ସାହୁ, ସସ୍ମିତା କୁମାରୀ ପାଣିଗ୍ରାହୀ, ମଧୁସ୍ମିତା ସାହୁ, ରଞ୍ଜିତାରାଣୀ ଦାଶ, ଜେ୍ୟାତ୍ସ୍ନାରାଣୀ ଦେବୀ, ସରୋଜିନୀ ସାହୁ ପ୍ରମୁଖ୍ ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ପରିପ୍ରେକ୍ଷୀରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସୁରକ୍ଷା ନେଇ ଏକ ସ୍ମାରକପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।