ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୪ ଉଦ୍‌ଘାଟିତ

ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବୋଳନ ପୂର୍ବକ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ଟେରାକୋଟା ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ କାରିଗରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ୨୬ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ମଧ୍ୟରେ ଲୋକମାନେ ଏହାର ସୁଯୋଗ ନେଇପାରିବେ । ଚଳିତ ବର୍ଷ ମୋଟ୍ ୨୭ଟି ଜିଲ୍ଲାର ୩୦୦ ରୁ ଉର୍ଦ୍ଧ୍ୱ କାରିଗର ଏଥିରେ ଅଂଶଗ୍ରହଣ କରିଛନ୍ତି । ପ୍ରାୟ ୨ କୋଟି ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ, ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ନିର୍ଦ୍ଦେଶକ ଶିଶିର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ‘ଟେରାକୋଟା’ ହସ୍ତଶିଳ୍ପ ଓଡିଶା ସରକାରଙ୍କ ଅନୁମୋଦିତ ୫୧ ଗୋଟି ହସ୍ତଶିଳ୍ପ ମଧ୍ୟରୁ ଏକ ପ୍ରମୁଖ ହସ୍ତଶିଳ୍ପ ଅଟେ । ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୬,୦୦୦ କାରିଗର ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ଆମ ରାଜ୍ୟରେ ୪୦ ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି । ଟେରାକୋଟା କାରିଗରଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ବିକ୍ରୟ ନିମନ୍ତେ ୨୦୦୬ ମସିହାରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ଵାରା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ (ମୃତ୍ତିକା) ଆୟୋଜିତ ହୋଇ ଆସୁଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିକୁ ଦୃଷ୍ଟିରେ ରଖି “ମୃତ୍ତିକା- ୨୦୨୪” ଟେରାକୋଟା ପ୍ରଦର୍ଶନୀ ୨୨ ଅକ୍ଟୋବର ରୁ ୨୯ ଅକ୍ଟୋବର, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ଆୟୋଜନ କରାଯାଇଥିଲା । ମାତ୍ର ବାତ୍ୟା ‘ଦାନା’ ପାଇଁ ଏହା ସ୍ଥଗିତ ରଖାଯାଇ ୨୬ ରୁ ୩୦ ଅକ୍ଟୋବର ଯାଏ ଆୟୋଜନ କରାଯାଇଅଛି ।

Leave a Reply

Your email address will not be published. Required fields are marked *