ବରଗଡ ୨୧,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଅଷ୍ଟମ ଦିବସରେ ମହାରାଜ କଂସ ମନ୍ତ୍ରୀ ପରିଷଦ ନେଇ ମଥୁରାନଗରୀ ପରିଭ୍ରମଣ କରି ପ୍ରଜାକଂ ସୁଖଦୁଃଖ ବୁଝି ସମାଧାନ କରିଥିଲେ।ଏହି ସମୟରେ ମହାରାଜ ନିକଟରେ ଖବର ପହଞ୍ଚିଲା ଯେ, ରାଣୀ ପଦ୍ମାବତୀ କଂ ଧନଶ୍ରୀ ଓଷା ବିଫଳ ହେବା ପରେ ମହାରାଜ କଂସ ବିଫଳତାକୁ ନେଇ ଚିନ୍ତିତ ଓ ବିବ୍ରତ ହୋଇଥିଲେ। ଏହାପରେ ପାତ୍ର ମନ୍ତ୍ରୀ ପରିଷଦ ବୈଠକ ଡକାଯାଇଥିଲା। ଏହି ବୈଠକରେ ମହର୍ଷି ନାରଦ ପ୍ରବେଶ କରିଥିଲେ। ମହର୍ଷି ନାରଦ ଓ ମନ୍ତ୍ରୀ ପରିଷଦ ବୈଠକ ରେ ରଂଗସଭା ଆୟୋଜନ ର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ମହାରାଜ କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇଥିଲେ ଭେଡେନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ରେମଣ୍ଡା ପେକ୍ସ ସଭାପତି ଶିବପ୍ରସାଦ ଖମାରୀ, ବରଗଡ ଜିଲ୍ଲା ବିଜେପି ଉପସଭାପତି ଲକ୍ଷ୍ମୀନାରାୟଣ ରଥ, ଏହା ସହିତ ବିଷିଷ୍ଟ କବି ତେଜରୁ ବାରିକ ଓ ଭାଷା ଆନ୍ଦୋଳନର କବି ସୁରେଶ ଚନ୍ଦ୍ର ଭୋଇ। ଆଜିର ଦରବାରରେ ଅତିଥି ମାନଂକ ମନୋରଞ୍ଜନ ରାଜ ନର୍ତ୍ତକୀମାନେ ନୃତ୍ୟ, ଗୀତ ପରିବେଷଣ କରିଥିଲେ। ମଂଚ କୁ ପରିଚାଳନା କରିଥିଲେ, ଧନୁଯାତ୍ରା କମିଟି ସଭାପତି ଅନିରୁଦ୍ଧ ସାହୁ ।ଦିନ କୁ ଦିନ ଧନୁଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ମହୋତ୍ସବ ଉପଭୋଗ କରିଥିଲେ।ଧନୁଯାତ୍ରା ମହୋତ୍ସବ କମିଟି ର ସମସ୍ତ ସଦସ୍ୟ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।
