ପ୍ରବାସୀ ଭାରତୀୟ ଦିବସରେ ମିଲେଟ୍ ଶକ୍ତି ଷ୍ଟଲ ମାଧ୍ୟମରେ ଶ୍ରୀ ଅନ୍ନ ଅଭିଯାନର ପ୍ରଚାର ଓ ପ୍ରସାର
ଭୁବନେଶ୍ୱର: ଗତ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ -୨୦୨୫ ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମିଲେଟ୍ ଶକ୍ତି ଷ୍ଟଲ ସ୍ଥାନିତ ହୋଇଥିଲା । ଭୁବନେଶ୍ୱର, କଟକ, ପୁରୀ ଓ ଯାଜପୁରଠାରେ ସ୍ଥାନ ପାଇଥିବା ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଷ୍ଟଲରେ ଭଳିକି ଭଳି ଖାଦ୍ୟ, ପର୍ଯ୍ୟଟକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା ।କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଶ୍ରୀ ଅନ୍ନ ଅଭିଯାନ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ପୁଷ୍ଟିଶସ୍ୟର ପୁଷ୍ଟି ପୋଷକତା ଏବଂ ଏଥିରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନକୁ ଏହି ବିଶ୍ଵସ୍ତରୀୟ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା । ଭୁବନେଶ୍ୱର, କଟକ, ପୁରୀ ଏବଂ ଯାଜପୁରର ପର୍ଯ୍ୟଟନ ସ୍ଥଳୀରେ ୧୫ଟି ମିଲେଟ୍ ଶକ୍ତି ଷ୍ଟଲ୍ ସ୍ଥାପନ କରାଯାଇଥିଲା ।ଭୁବନେଶ୍ୱରସ୍ଥିତ କଳାଭୂମି, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଧଉଳି, ନନ୍ଦନକାନନ ଓ ମୁକ୍ତେଶ୍ଵର ମନ୍ଦିରରେ ଷ୍ଟଲ ସ୍ଥାନିତ ହୋଇଥିଲା । ସେହିପରି କଟକସ୍ଥିତ ସିଲଭର ସିଟି ବୋଟ୍ କ୍ଲବ ଓ ନୌବାଣିଜ୍ୟ ସଂଗ୍ରହାଳୟ ଏବଂ ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ବ୍ଲୁ ଫ୍ଲାଗ ବିଚ, ରଘୁରାଜପୁର ଗ୍ରାମ, ଜଗନ୍ନାଥ ବଲ୍ଲଭ ମଠ ଓ ସାତପଡ଼ା ହ୍ରଦଠାରେ ମଧ୍ୟ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଷ୍ଟଲ ଖୋଲା ଯାଇଥିଲା । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା କୋଣାର୍କସ୍ଥିତ ମିଲେଟ୍ ଷ୍ଟଲ ପରିଦର୍ଶନ କରି ପୁଷ୍ଟିଶସ୍ୟର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ଇଟାଲି ଏବଂ ବେଲଜିୟମରୁ ଆସିଥିବା ପ୍ରତିନିଧିଙ୍କ ସମେତ ଅନ୍ତର୍ଜାତୀୟସ୍ତରୀୟ ପ୍ରତିନିଧିମାନେ ମଧ୍ୟ ଷ୍ଟଲ ପରିଦର୍ଶନ କରିଥିଲେ ଏବଂ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟର ମଜା ନେବା ସହ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ପରିଚାଳିତ ଏହି ଷ୍ଟଲଗୁଡିକରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଉପଲବ୍ଧ ହୋଇଥିଲା । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୋଡ ପିଠା, ମାଣ୍ଡିଆ ଲଡୁ, କାକରା ପିଠା, ମଣ୍ଡା ପିଠା ଓ ମାଲପୁଆ ସାଙ୍ଗକୁ ମାଣ୍ଡିଆରୁ ପ୍ରସ୍ତୁତ ଚାଓମିନ୍, ସ୍ୟାଣ୍ଡୱିଚ, ମିଲେଟ ନନ୍ ଭେଜ ଫ୍ରିଟରସ୍ ଓ ଦହିବାର ଆଦି ଉପଲବ୍ଧ ଥିଲା । ଏହାସହିତ ଶୁଖିଲା ଖାଦ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ନିମକି, ଜହ୍ନା ସେଉ, ମାଣ୍ଡିଆ ମିକ୍ସଚର ଓ ମୁଡୁକି ବିକ୍ରି ହୋଇଥିଲା । ପ୍ରତ୍ୟେକ ସ୍ଥାନରେ ପ୍ରାୟ ୧୫୦-୨୦୦ ଅତିଥି ଏହି ଷ୍ଟଲଗୁଡ଼ିକୁ ପରିଦର୍ଶନ କରିବା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ପ୍ରସ୍ତୁତ ପୁଷ୍ଟିଶସ୍ୟଭିତ୍ତିକ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇଥିଲେ । ଏହି ପଦକ୍ଷେପ ମାଧ୍ୟମରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟସ୍ତରର ଅତିଥିଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ନେଇ ସଚେତନତା ସୃଷ୍ଟି ହୋଇଥିଲା । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପୁଷ୍ଟିଶସ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏହି ପଦକ୍ଷେପ ସଫଳ ରୂପାୟନ ନେଇପାରିଛି । ଖାଦ୍ୟ ନିରାପତ୍ତା, ପୁଷ୍ଟି ପୋଷକତା ଏବଂ ଚିରନ୍ତନ କୃଷି ପଦ୍ଧତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପୁଷ୍ଟିଶସ୍ୟ ଚାଷ ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଓଡିଶା ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।