ପୋଖରୀ ଖନନ ବେଳେ ପୁରାତନ ମନ୍ଦିର ଠାବ

*ପୋଖରୀ ଖନନ ବେଳେ ପୁରାତନ ମନ୍ଦିର ଠାବ*

ନୂଆପଡ଼ା( ଓମ୍ ପ୍ରକାଶ ଚୌଧୁରୀ) ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି। ସେଠାରୁ ଖଣ୍ଡା, ତ୍ରିଶୂଳ ଆଦି ଉଦ୍ଧାର ହୋଇଥିବାରୁ ଏହା ଏକ ଶକ୍ତିପୀଠ ବୋଲି ଅନୁମାନ ହେଉଛି। ଏହି ମନ୍ଦିର ମାଣିକଗଡ଼, କୁମାଲଗଡ଼ ଦୁର୍ଗ ସମୟ ସମୟସାମୟିକ ବୋଲି ସନ୍ଦେହ କରାଯାଉଛି। ମନ୍ଦିର ଠାବ ଜଣାପଡ଼ିବା ପରେ ଆଜି ଦିନତମାମ ସେଠାରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା। ଗତ ୧୫୯୦ରୁ ୧୮୨୦ ମସିହା ପର୍ଯ୍ୟନ୍ତ କୋମନା ଗଡ଼କୁ ଚୌହାନ ବଂଶୀୟ ରାଜମାନେ ରାଜଧାନୀ କରିଥିଲେ। ସେହି ସମୟରେ ଅନେକ ମନ୍ଦିର, ଦେବସ୍ଥଳୀ ନିର୍ମାଣ ସହ ପୋଖରୀ ଖନନ ହୋଇଥିଲା। ରାଜାରାଜୁଡ଼ା ଶାସନ ବେଳେ କୋମନା ସମଲେଶ୍ଵରୀ ଗଡ଼ ନିକଟରେ ଦେଉଳବନ୍ଧ ଖନନ ହୋଇଥିଲା। ଉକ୍ତ ପୋଖରୀ ହିଡ଼ରେ ଏକ ପୁରାତନ ଶିବ ମନ୍ଦିର ଏବେବି ରହିଛି। ଏହି ପୋଖରୀ ଉପରେ କୋମନା ବାସୀ ନିର୍ଭର କରିଆସୁଛନ୍ତି। ପୋଖରୀ ପଙ୍କୋଦ୍ଧାର ରାଜାରାଜୁଡ଼ା ଅମଳରୁହୋଇନଥିଲା। ଗତକିଛି ଦିନ ତଳେ ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା ।ଆଜି ସକାଳେ ପୋଖରୀ ମଝିରେ କିଛି ପୁରୁଣା ଇଟା ବାହାରିଥିଲା। ଏହାକୁ ଖନନ କରିବାରୁ ଏକ ମନ୍ଦିର ଆକୃତିର ଇଟା ତିଆରି ଘରବାହାରିଥିଲା। ମଧ୍ୟାହ୍ନ ସୁଦ୍ଧା ଖନନ କରିବାରୁ ପ୍ରାୟ ୬ଫୁଟ ଉଚ୍ଚର ଏକ ମନ୍ଦିର ବାହାରିଥିଲା। ଏହାର ଓସାର ପ୍ରାୟ ଦେଢ଼ ମିଟର ଓ ଲମ୍ବ ଦୁଇମିଟର ପାଖାପାଖୁ ରହିଛି। ଖନନ ବେଳେ ଏକ ମାଠିଆର ଭଙ୍ଗାବଶେଷ ଉଦ୍ଧାର ହୋଇଛି। ଅପରାହ୍ନରେ ଖବରପାଇ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, କୋମନା ବିଡିଓ ହିତାଂଶୁଶେଖର ସାମଲ, ବ୍ଳକ ଅଧ୍ଯକ୍ଷା ଅନସୂୟା କୁମ୍ଭାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏସମ୍ପର୍କରେ ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରତ୍ନତତ୍ତ୍ବ ଓ ସଂଗ୍ରହାଳୟତତ୍ତ୍ଵ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଡ.ରଣବୀର ସିଂଙ୍କୁ ପଚାରିବାରୁ ଏହି ମନ୍ଦିରର ନିର୍ମାଣଶୈଳୀ, କଳାକୃତି ମାଟି ଇଟା ବହୁ ପୁରାତନ। ରାଜାରାଜୁଡ଼ା ଅମଳରେ ମନ୍ଦିର ନିର୍ମାଣ ହୋଇଥିବା ଅନୁମାନ ହେଉଛି । ଏହା ମାଣିକଗଡ଼ ଓ ଜୁମଲାଗଡ଼ ଦୁର୍ଗ ସମୟସାମୟିକ ହୋଇଥିବ। ଏହା ଉପରେ ଅଧିକ ଅନୁସନ୍ଧାନ ଓ ଗବେଷଣା ଜରୁରି ବୋଲି କହିଛନ୍ତି। ଏନେଇ ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ପଚାରିବାରୁ ଏ ବିଷୟରେ ଜିଲ୍ଲା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ସର୍ଭେ କଲେ, ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *