ପାରଳା ବିଧାନସଭା ଆସନ ନିର୍ବାଚନର ଏକ ଅନୁଧ୍ୟାନ |

ଗଜପତି:ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାନସଭା ନିର୍ବାଚନ ୧୯୫୧ ମସିହା ଠାରୁ ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନର ଏକ ସ୍ୱତନ୍ତ୍ର ଆଲୋକପାତ ଓ ଫଳାଫଳ ପ୍ରକାଶ କରାଗଲା. ପାରଳା ବିଧାନସଭା ଆସନରେ ୧୯୫୧ ମସିହା ଠାରୁ ଗତ ୨୦୧୯ ମସିହା ପର‌୍ୟ୍ୟନ୍ତ ୧୬ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି. ଏଥିରେ କଂଗ୍ରେସ ଦଳ ୬ ଥର ସର୍ବାଧିକ ବାଜିମାତ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୫ ଥର ବିଜୟ ହାସଲ କରିଛନ୍ତି. ୧୯୫୧ ମସିହାର ପ୍ରଥମ ନିର୍ବାଚନରେ ପାରଳା ଆସନରୁ ବାମପନ୍ଥୀ ଦଳର ବିଧାୟକ ନିର୍ବାଚିତ ହୋଇଥିଲେ. ପାରଳା ଆସନରେ ବିଜେଡି ଗୋଟିଏ ଥର ଏବଂ ବିଜେପି ଗୋଟିଏ ଥର ବାଜିମାତ କରିଥିବାବେଳେ ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ – ବିଜେଡି – ବିଜେପି ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତ ହେବା ନିଶ୍ଚିତ ହୋଇପଡିଛି. ବିଗତ ୧୬ ଗୋଟି ବିଧାନସଭା ନିର୍ବାଚନକୁ ଆଲୋକପାତ କଲେ ପାରଳାର ପୂର୍ବତନ କଂଗ୍ରେସ ବିଧାୟକ ତ୍ରିନାଥ ସାହୁ ସର୍ବାଧିକ ଲୋକପ୍ରିୟ ନେତା ଏବଂ ୪ ଥରର ବିଧାୟକ ଥିବା ସ୍ପଷ୍ଟ ହୋଇଯାଇଛି. ପାରଳା ଆସନରେ ୧୯୫୧ ରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ବାମପନ୍ଥୀ ନେତା ଜଗନ୍ନାଥ ମିଶ୍ର ବିଧାୟକ ଭାବେ ବିଜୟ ଲାଭ କରିଥିଲେ। ୧୯୫୭ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାଲ୍ଲା କୂର୍ମ ନାଇକୁଲୁ ପ୍ରତିଦ୍ଵନ୍ଦିତା କରି ବାଜିମାତ କରିଥିଲେ । ପରେ ୧୯୬୧ ଓ ୧୯୬୭ରେ ପୁଣି ଶ୍ରୀ କୂର୍ମ ନାଇକୁଲୁ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୧୯୭୧ ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଦାରାପୁ ଲଛନ ନାଇଡୁ ନିର୍ବାଚିତ ହୋଇଥିଲେ. ପରବର୍ତୀ ୧୯୭୪ ନିର୍ବାଚନରେ ପୁଣି ଶ୍ରୀ ଲଛନ ନାଇଡୁ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ନିର୍ବାଚିତ ହୋଇଥିଲେ. ୧୯୭୭ ଓ ୧୯୮୦ ନିର୍ବାଚନ ବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଜୟ ଜେନା ପ୍ରତିଦ୍ଵନ୍ଦିତା କରି ନିର୍ବାଚିତ ହୋଇଥିଲେ. ପରବର୍ତୀ ୧୯୮୫ ନିର୍ବାଚନରେ କଂଗ୍ରେସ ଦଳ ପାରଳା ଆସନରେ ପ୍ରଥମେ ବାଜିମାତ କରିଥିଲା. ଏଥିରେ ତ୍ରିନାଥ ସାହୁ କଂଗ୍ରେସର ପ୍ରଥମ ବିଧାୟକ ହୋଇଥିଲେ. ପୁଣି ୧୯୯୦ରେ ଦାରାପୁ ଲଛନ ନାଇଡୁଙ୍କୁ ଜନତା ଦଳ ଟିକେଟରେ ଲଢ଼ି କଂଗ୍ରେସର ତ୍ରିନାଥ ସାହୁଙ୍କୁ ହରାଇ ସେ ବିଜୟୀ ହୋଇଥିଲେ । ୧୯୯୫ରେ ତ୍ରିନାଥ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରି ନଥିଲା । ସେ କିନ୍ତୁ ଯୋଡ଼ିପତ୍ର ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ି ବହୁ ମତ ଓ ବହୁ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରି ଦ୍ଵିତୀୟ ଥର ବିଧାୟକ ହୋଇଥିଲେ. ପରବର୍ତ୍ତୀ ସମୟରେ କଂଗ୍ରେସ ପୁଣି ତାଙ୍କୁ ଦଳରେ ସାମିଲ କରିଥିଲା । ୨୦୦୦ ଓ ୨୦୦୪ ନିର୍ବାଚନ ବେଳେ କଂଗ୍ରେସ ପ୍ରାର୍ଥୀ ରୂପେ ତ୍ରିନାଥ ସାହୁ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିଲେ । ୨୦୦୯ ରେ କିନ୍ତୁ ତ୍ରିନାଥ ସାହୁଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା. ତ୍ରିନାଥ ସାହୁ ୨୦୦୯ ରେ ତତକାଳୀନ କାଶୀନଗର ପଂଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ପ୍ରାର୍ଥୀ କୋଡ଼ୁରୁ ନାରାୟଣ ରାଓଙ୍କ ଦ୍ୱାରା ପରାଜିତ ହୋଇଥିଲେ.ପୁଣି ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କେ. ସୂରିୟା ରାଓ ବିଜେଡି ଦଳର ପ୍ରାର୍ଥୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ. ୨୦୧୯ରେ କେ.ନାରାୟଣ ରାଓଙ୍କୁ ଶେଷ ମୁହୂର୍ତ୍ତରେ ବିଜେଡି ଟିକେଟ ଦେଇନଥିଲେ. ତାଙ୍କୁ ନିରାଶ ହେବାକୁ ପଡିଥିଲା ଓ ରାତାରାତି ଦଳ ବଦଳାଇ ସେ ନିଜର ଶହ ଶହ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ ଟିକେଟ ବି ଦେଇଥିଲା । ସେହି ୨୦୧୯ ନିର୍ବାଚନରେ ନାରାୟଣ ରାଓ ବିଜେପି ପ୍ରାର୍ଥୀ ଭାବେ ନିକଟତମ ପ୍ରତିଦ୍ଵନ୍ଦୀ ସ୍ଵାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କୁ ୧୫,୩୩୫ ଭୋଟରେ ହରାଇ ସେ ବିଜୟ ଲାଭ କରିଥିଲେ। ୨୦୧୯ ରେ ବିଜେଡି ପ୍ରାର୍ଥୀନୀ କଲ୍ୟାଣୀ ଗଜପତି ଓ କଂଗ୍ରେସ ପ୍ରାର୍ଥୀ କେସୂରିୟା ରାଓ ପ୍ରାର୍ଥୀ ହୋଇ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନରେ ରହିଥିଲେ. ବର୍ତ୍ତମାନ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି. ନାରାୟଣ ରାଓଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିଛି । ବିଜେଡି ତରଫରୁ ରୂପେଶ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟ କଂଗ୍ରେସ ପ୍ରାର୍ଥୀ କରିଛି. ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ଅତ୍ୟନ୍ତ ଦୃଢ଼ତାର ସହ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଲୋକଙ୍କ ସେବା ଓ ମୋର ଜନ ସମ୍ପର୍କ ଯୋଗୁଁ ମୁଁ ବିଧାୟକ ଭାବେ ନିର୍ବାଚିତ ହେବା ନିଶ୍ଚିତ. ସ୍ଥାନୀୟ ଲୋକ ଓ ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ରହିବା ସହ ଜନସାଧାରଣଙ୍କ ସୁଖ ଦୁଃଖର ସାଥ୍ ହେବାର ସୁଯୋଗ ତାଙ୍କୁ ମିଳିଛି । ତେଣୁ ତାଙ୍କର ତଥା ବିଜେପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ନାରା ବିଜୟ ସମ୍ଭାବନାକୁ ଆହୁରି ଦୃଢ଼ୀଭୂତ କରିଛି. ଜନମତ ଅନୁଯାୟୀ ବିଜେଡି ନୁହେ, କଂଗ୍ରେସ ହିଁ ଏଥର ମୋ ସହ ଟକ୍କର ଦେବ ବୋଲି ନାରାୟଣ ରାଓ କହିଛନ୍ତି. ୧୯୫୧ ରୁ ୨୦୧୯ ମଧ୍ୟରେ ଅନୁଷ୍ଠିତ ୧୬ ଗୋଟି ନିର୍ବାଚନରେ କଂଗ୍ରେସ ଦଳ ୬ ଥର ବିଜୟୀ ହୋଇଛି ବୋଲି ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଦୃଢକ୍ତି ପ୍ରକାଶ କରି କହିଛନ୍ତିଯେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା , ଭାରତ ଯୋଡ ନ୍ୟାୟଯାତ୍ରା ଓ କଂଗ୍ରେସର ଘୋଷଣା ପତ୍ର ଆଦି ଆକର୍ଷିତ କରିଛି ଭୋଟରମାନଙ୍କୁ ।

ଏଥିସହ ଶ୍ରୀ ପଟ୍ଟନାୟକ ବି ପ୍ରଶାସନିକ ଅନୁଭୂତି ସମ୍ପନ୍ନ ଜଣେ ନିଷ୍କଳଙ୍କ ଅବସରପ୍ରାପ୍ତ ଆଇଏଏସ ଅଫିସର । ଗୁମ୍ମା ବ୍ଲକରେ କଂଗ୍ରେସ ଦଳର ସ୍ଥିତି ଖୁବ୍ ଭଲ ରହିଛି । ତେଣୁ କଂଗ୍ରେସ ଏଥିର ନିଶ୍ଚୟ ବିଜୟୀ ହେବ ବୋଲି ଶ୍ରୀ ପଟ୍ଟନାୟକଙ୍କ ସମେତ ଦଳର ସ୍ଥାନୀୟ ନେତା ଓ କର୍ମୀ ଆଶାବାଦୀ. ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ଜିଣିବା ନେଇ ଶାସକ ଦଳର ନେତା କର୍ମୀମାନେ ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି. ବିଜେଡିର ପ୍ରାର୍ଥୀ ରୁପେଶଙ୍କ ପିତା ତିରୁପତି ପାଣିଗ୍ରାହୀ ପାରଳା ଆସନରେ ସେନାପତି ରୂପେ ବିଜେଡି ଦଳର ସମସ୍ତ ନିର୍ବାଚନ ପ୍ରଚାର କାର‌୍ୟ୍ୟ ଆଗେଇ ଚଳାଇଛନ୍ତି. ଗତ ୨୦୧୯ ନିର୍ବାଚନରେ ତିରୁପତି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୨ୟ ସ୍ଥାନରେ ରହିଥିଲେ. ଏଥିସହ ପାରଳା ଆସନର ବିଭିନ୍ନ ନିର୍ବାଚନ ପରିଚାଳନାରେ ତିରୁପତି ପାଣିଗ୍ରାହୀଙ୍କ ଯଥେଷ୍ଟ ଅଭିଜ୍ଞତା ରହିଚି| ଏ ସମସ୍ତଙ୍କୁ ବିଧେୟ କରି ବିଜେଡିର ବିଜୟ ନିଶ୍ଚିତ ବୋଲି ବିଜେଡିର କର୍ମୀ ଓ ନେତାମାନେ ଦୃଢତାର ସହ ପ୍ରକାଶ କରିଛନ୍ତି. ହେଲେ ରାଜନୈତିକ ବିଶ୍ଳେଷକଗଣ ମତ ଦେଇଛନ୍ତି ଯେ, ଆଗାମୀ ୨୦୨୪ ନିର୍ବାଚନ ପାରଳା ଆସନରେ ତ୍ରିମୁଖ ଲଢେଇ କଂଗ୍ରେସ – ବିଜେପି – ବିଜେଡି ମଧରେ ହେବା ନିଶ୍ଚିତ. ଏହି ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ବର୍ତ୍ତମାନ ଠାରୁ ପ୍ରକାଶ କରିବା ଅସମ୍ଭବ ।

Leave a Reply

Your email address will not be published. Required fields are marked *