ପାନୀୟ ଜଳ ସମସ୍ୟା
ପାଣି ମୁନ୍ଦାଏ ପାଇଁ ନାହିଁ ନଥିବାର ଅବସ୍ଥା।ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।
ନୂଆପଡା ଜିଲ୍ଲା (ଓମ୍ ପ୍ରକାଶ ଚୌଧୁରୀ)ଖଡ଼ିଆଳ ବ୍ଲକ ଦାବ୍ରି ଗ୍ରାମ ପଞ୍ଚାୟତର ଭାଲୁ ଡୁଙ୍ଗରି ଗ୍ରାମରେ ପାଣି ସମସ୍ୟା ଉତ୍କଟ, ଏଥିପାଇଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି କିନ୍ତୁ ଗତ ସାତ ଦିନ ଧରି ପାଣି ଆସୁନି। ଫଳରେ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ଗ୍ରାମରେ ଦୁଇ ଶହ ପରିବାର ଥିବା ବେଳେ ଦୁଇଟି ନଳକୂପ ଅଛି। ତହିଁରୁ ଗୋଟିଏ ନଳକୂପରୁ ଖରାପ ପାଣି ବାହାରୁ ଥିବା ବେଳେ ଅନ୍ୟ ଗୋଟିଏ ନଳକୂପ ଉପରେ ଏବେ ଗ୍ରାମବାସୀ ନିର୍ଭର କରୁଛନ୍ତି। ଏହି ନଳକୂପରେ ଭିଡ଼ ଜମୁଥିବା ବେଳେ ପାଣି ମଧ୍ୟ କମ ବାହାରିଥାଏ। ଏଥିରେ ମଧ୍ୟ ଫ୍ଲୋରାଇଡ ଥିବା ଗ୍ରାମବାସୀ କହନ୍ତି।ଗାଁର ମହିଳା ମାନେ ରାତି ଅଧରୁ ପାଣି ପାଇଁ ଜଗି ରହନ୍ତି। ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ କହୁଛନ୍ତି। ପାଣି ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତ ଓ ବ୍ଲକ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।ଖରା ମାସରେ ପାଣି ସମସ୍ୟା ଦେଖା ଦେବା ସ୍ଵାଭାବିକ କିନ୍ତୁ ପ୍ରଶାସନ ଏନେଇ ପଦକ୍ଷେପ ନେବା ଜରୁରୀ ହୋଇ ପଡୁଛି। ଗାଆଁ ଗାଆଁରେ ବସୁଧା ଯୋଜନାରେ ପାଣି ଯୋଗାଣ ବ୍ୟବସ୍ଥା କରା ଯାଇଥିବା ବେଳେ ଦୂର ଦୃଷ୍ଟି ଅଭାବରୁ ଏହି ଗ୍ରାମରେ ପାଣି ପହଞ୍ଚି ପାରୁନି। ଏଥିପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଯୋଜନା ଫେଲ୍ ମାରିଥିବାରୁ ବିଭାଗୀୟ ଅଧିକାରୀଙ୍କ ଖାମ୍ ଖିଆଲି ମନୋଭାବ ସ୍ପଷ୍ଟ ବାରି ହେଉଛି। ଏନେଇ ସ୍ଥାନୀୟ ସରପଞ୍ଚ ଅମ୍ବିକା ମାଝୀଙ୍କୁ ପଚାରିବାରୁ ଅତିଶିଘ୍ର ପାଣି ଯୋଗାଣ ବ୍ୟବସ୍ଥା କରାଯିବ, ନହେଲେ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କଉଦାସୀନତା ଯୋଗୁଁ ସରକାରଙ୍କ କୋଟିକୋଟି ଟଙ୍କାର ଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରିଛି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିଶ୍ରୁତି ପରେ ଭାଲୁ ଡୁଙ୍ଗରି ଗାଁ ବାସୀଙ୍କ ଜଳ ସଙ୍କଟ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା।