ପଞ୍ଚବଟୀରେ ଦୟଣା ବଗିଚା ଉଦ୍ଘାଟନ
କୋରାପୁଟ :ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟଙ୍କର ପ୍ରୋତ୍ସାହନରେ ଶାବର ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍ଥାର ଥିବା ପଞ୍ଚବଟୀ ଉଦ୍ୟାନରେ ଦୟଣା ବଗିଚାର ଶୁଭାରମ୍ଭ ହୋଇଛି। ତୁଳସୀ ପରି ପ୍ରଭୁ ଜଗନ୍ନାଥଙ୍କର ଅତିପ୍ରିୟ ଦେହଲାଗି ପତ୍ର ଦୟଣା। ପ୍ରତିଦିନ ତୁଳସୀ ମାଳ ସହିତ ଦୟଣାର ମାଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପିନ୍ଧା ଯାଇଥାଏ। ଓଡ଼ିଶାରେ ଦୟଣା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ କାର୍ଯ୍ୟରତ। କୋରାପୁଟର ଜଳବାୟୁ ଓ ପରିବେଶ ଦୟଣା ଉତ୍ପାଦନ ପାଇଁ ଅନୂକୁଳ ଥିବା ଜାଣି ଶ୍ରୀକ୍ଷେତ୍ର ଦୟଣା ସେବା ସଂସ୍ଥା ଶାବର ଶ୍ରୀକ୍ଷେତ୍ର କର୍ମକର୍ତ୍ତାଙ୍କୁ ଅନୁରୋଧ କରିବାରୁ ଏ ମହତ୍ କାର୍ଯ୍ୟ ହାତକୁ ନେବାକୁ ମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଛି। ଏହି ଉପଲକ୍ଷେ ତାମିଲନାଡୁର ସାଲେମ୍ରୁ ଦୟଣା ଚାଷର ବିଶେଷଜ୍ଞ ଶ୍ରୀ ଏମ୍.ସି.ପି. ମୋହନ ସୁନ୍ଦରମ୍ କୋରାପୁଟ ଆସି ଡିସେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ପଞ୍ଚବଟୀ ବଗିଚାରେ ଦୟଣା ଚାରା ଉତ୍ପାଦନ ନିମନ୍ତେ ପଟ୍ଟାଳୀ ପ୍ରସ୍ତୁତି ସହିତ ଦୟଣା ମଞ୍ଜି ବୁଣି ଏହି ବଗିଚାର ଶୁଭାରମ୍ଭ କରିଛନ୍ତି। ଦୟଣା ଗଛ ବଢ଼ିଗଲା ପରେ ଏହାର ପତ୍ରକୁ କୋରାପୁଟରୁ ପୁରୀ ଶ୍ରୀକ୍ଷେତ୍ରକୁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗଲାଗି ନିମନ୍ତେ ପଠାଯିବ ଓ କୋରାପୁଟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସେବାରେ ମଧ୍ୟ ଲାଗିବ।