ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ

ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ଵର: ଚାଷୀ ହସିଲେ ଓଡ଼ିଶା ହସିବ । ତେଣୁ ଚାଷୀଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । “ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା–୨୦୨୫” ଅବସରରେ ଆୟୋଜିତ “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉନ୍ନତି ପାଇଁ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ଚାଷୀମାନେ ସ୍ଵାଗତ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ମାନ୍ୟବର ମନ୍ତ୍ରୀ ସହ କଥା ହୋଇଥିଲେ । କୌଣସି ସରକାରୀ କର୍ମଚାରୀ ସେମାନଙ୍କୁ ହଇରାଣ କଲେ ତୁରନ୍ତ ଚିଠି ଦ୍ଵାରା ଜଣାଇବାକୁ ସେ ଚାଷୀମାନଙ୍କୁ କହିଥିଲେ । ଚାଷୀ ପଚାରିଥିବା କିଛି ପ୍ରଶ୍ନ ଓ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ଏହି ସବୁ ଉତ୍ତର ରଖାଯାଇଥିଲା । ୧.ବିଶ୍ୱଜିତ୍ ସ୍ୱାଇଁ, ନାଉଗାଁ,ଜଗତସିଂହପୁର ପ୍ର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବାହାର ରାଜ୍ୟରୁ ଗାଈ ଆଣିବା ଜରୁରୀ କି ?ଉତ୍ତର: ରାଜ୍ୟର ଦୁଗ୍ଧ ଉତ୍ପାଦନ ନିମନ୍ତେ, ସରକାରଙ୍କର କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନା ମାଧ୍ୟମରେ ବାହାର ରାଜ୍ୟରୁ ଗାଈ ଆଣିବା ଜରୁରୀ ଅଟେ । କାରଣ, ଆମ ରାଜ୍ୟରେ ଏତେ ସଂଖ୍ୟକ ଗାଈ ଏକ ସମୟରେ ଉପଲବ୍ଧ ହୋଇପାରୁନି । ଦ୍ୱିତୀୟରେ କେବଳ ନିଜ ନିଜ ଭିତରେ ଗାଈର ଅଦଳ ବଦଳ ହେବ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟରୁ ଗାଈ ଆଣିବା ପାଇଁ ଯୋଜନା କରିଛନ୍ତି ।୨. ଗୌତମ ଧାରୁଆ, ଲଖନପୂର୍, ଝାରସୁଗୁଡ଼ା ପ୍ର: ଗୋ ମୂତ୍ର ଓ ଗୋବର ଖତ କିଣିବା ନିମନ୍ତେ ସରକାରଙ୍କର କିଛି ଯୋଜନା ଅଛି କି?ଉତ୍ତର: ଆଗକୁ ଓମ୍ଫେଡ ମାଧ୍ୟମରେ ଗୋବର ଖତକୁ ବ୍ୟବହାର କରି ବାୟୋ ଗ୍ୟାସ କରିବା ନିମନ୍ତେ “ଗୋବର୍ଦ୍ଧନ ଯୋଜନା” ନାମକ ଏକ ନୂଆ ଯୋଜନା ଆରମ୍ଭ କରିବା ନିମନ୍ତେ ବ୍ୟବସ୍ଥା ଯାଉଛି ।୩. ଆଶୁତୋଷ ପଣ୍ଡା , ପୁରୀପ୍ର: ଆମ ରାଜ୍ୟରେ ଲେୟର ଫାର୍ମିଂ ପାଇଁ ସରକାରଙ୍କର କି ଯୋଜନା ଅଛି ?ଉତ୍ତର: ୧୦୦୦ କୁକୁଡ଼ା ବିଶିଷ୍ଟ ଲେୟର ଫାର୍ମ ପ୍ରତିଷ୍ଠା ନିମନ୍ତେ ୟୁନିଟ ପିଛା ୮.୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନାରେ ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି ବର୍ଗ, ମହିଳା ଚାଷୀ, ଟ୍ରାନ୍ସଜେଣ୍ଡର ଓ ଦିବ୍ୟାଙ୍ଗଙ୍କୁ ମୋଟ ଖର୍ଚ୍ଚ ଅଟକଳର ୬୦ ପ୍ରତିଶତ ସରକାରୀ ସହାୟତା ଓ ସାଧାରଣ ବର୍ଗର ପୁରୁଷମାନଙ୍କୁ ମୋଟ ଖର୍ଚ୍ଚ ଅଟକଳର ୫୦ ପ୍ରତିଶତ ସରକାରୀ ସହାୟତା ରାଶି ଯୋଗାଇ ଦେଉଛନ୍ତି । ଆପଣମାନେ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବଡ ଆକାରର ଲେୟର ଫାର୍ମ ପ୍ରତିଷ୍ଠା କରିପାରିବେ ଏବଂ ଏଥିପାଇଁ ୪୦ ରୁ ୫୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।୪. ଓଡ଼ିଶା ପିଗୀରି ଆସୋସିଏସନ୍, ନିଆଳି, କଟକପ୍ର: ଘୁଷୁରୀମାନଙ୍କୁ କେଉଁ କେଉଁ ରୋଗ ପାଇଁ ଟୀକାକରଣ କରା ଯାଉଅଛି ? ଏଵଂ ୧୦୦ ରୁ କମ ଘୁଷୁରୀ ଫାର୍ମକୁ ପ୍ରଦୂଷଣ ପ୍ରମାଣ ପତ୍ରରୁ ବାଦ୍ ଦେବା ନିମନ୍ତେ ମାନ୍ୟବର ମନ୍ତ୍ରୀ ବିଚାର କରିବେ କି ?ଉତ୍ତର: ଘୁଷୁରୀମାନଙ୍କୁ ସରକାରଙ୍କ ତରଫରୁ ସ୍ୱାଇନ ଫାଇଭର୍ ଓ ଫାଟୁଆ ରୋଗ ନିମନ୍ତେ ଭାରତ ସରକାରଙ୍କ ତରଫରୁ ଚାଲିଥିବା ରାଷ୍ଟ୍ରୀୟ ପ୍ରାଣୀ ରୋଗ ନିରାକରଣ ଯୋଜନା ମାଧ୍ୟମରେ ନିଶୁଳ୍କ ଟୀକାଦାନର ବ୍ୟବସ୍ଥା ରହିଛି ।ଘୁଷୁରୀ ଫାର୍ମ ପ୍ରତିଷ୍ଠା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବିଷୟରେ ସରକାର ଆବଶ୍ୟକୀୟ ବିଚାର କରୁଛନ୍ତି ।୫. ଶିବାନନ୍ଦ କୁଲ୍ହାରିୟା, ସୁନ୍ଦରଗଡ଼ ପ୍ର: ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଦରଖାସ୍ତ କରିବା ପାଇଁ ‘ଗୋ ସୁଗମ’ରେ ଅନଲାଇନ ଦରଖାସ୍ତ ନକରି ପାରିଲେ ଅଫଲାଇନ ମାଧ୍ୟମରେ ଦରଖାସ୍ତ କରିହେବ କି ?ଉ: ଅନଲାଇନ ମାଧ୍ୟମରେ “ଗୋ ସୁଗମ” ପୋର୍ଟାଲରେ ଦରଖାସ୍ତ କରିବାରେ କିଛି ଅସୁବିଧା ହେଲେ ଦରଖସ୍ତ ଫର୍ମଟିକୁ ନିର୍ଭୁଲ ଭାବେ ପୂରଣ କରି ନିକଟସ୍ଥ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ବା ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଦରଖାସ୍ତ କରି ପାରିବେ । ଏହା ବ୍ୟତୀତ ନିକଟସ୍ଥ ମୋ ସେବା କେନ୍ଦ୍ରରେ ମଧ୍ୟ ଦରଖାସ୍ତ କରିପାରିବେ । ଚାଷୀମାନେ ସିଧାସଳଖ ମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟାର ସମାଧାନ ବିଷୟରେ ଅବଗତ ହୋଇଥିବାରୁ ଖୁସି ପ୍ରକାଶ କରିଥିଲେ । ଏହି ତିନି ଦିନିଆ ରାଜ୍ୟସ୍ତରୀୟ ସମାବେଶରେ ମତ୍ସ୍ୟଚାଷ ଓ ପ୍ରାଣିପାଳନ ସହ ଜଡ଼ିତ ବିଭିନ୍ନ ପ୍ରଦର୍ଶନୀ ସେମାନଙ୍କ ଜୀବିକାକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି ତିନି ଦିନିଆ ସମାବେଶରେ ପ୍ରାୟ ୧ ଲକ୍ଷରୁ ଅଧିକ ମତ୍ସ୍ୟଚାଷୀ, ପ୍ରାଣିପାଳକ, ଉଦ୍ୟୋଗୀ, ବିଶେଷଜ୍ଞ ଓ ସାଧାରଣ ଦର୍ଶକଙ୍କ ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *