ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଣିରେ ଗାର, ହଟିଲାନି ଫଳକ

୫-ଟି ଲୋଗୋ ଉପରେ କେବଳ ପ୍ଲାଷ୍ଟର୍ ଲାଗିଲା, ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଣିରେ ଗାର, ହଟିଲାନି ଫଳକ

ଗଜପତି (୨୪.୬.୨୦୨୪):ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପାରଳାଖେମୁଣ୍ଡି ମୁନିସିପାଲିଟି କୌଣସି ଭାବେ ପାଳନ କରି ନ ଥିବା ଲକ୍ଷ୍ୟ କରାଯାଇଛି । ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶର ୧୦ ଦିନ ପରେ ସୁଦ୍ଧା ପୌର ଅଧିକାରୀ ଆଦେଶକୁ କାର୍ଯ୍ୟକାରୀ କରିନାହାନ୍ତି. ଯଦ୍ୱାରା ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁଯାଇ ଫଳକ ହଟିନାହିଁ. ହେଲେ ଗତକାଲି କେବଳ ଫଳକ ଉପରେ ରହିଥିବା ୫-ଟି ଲୋଗୋକୁ ଏକ ଛୋଟିଆ ପ୍ଲାଷ୍ଟର ମାରି ଘୋଡାଇ ଦିଆଯାଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ଦୋଳବନ୍ଧ, ଶଙ୍କୁରୀ ବନ୍ଧ ଆଦି ବିଭିନ୍ନ ସ୍ଥାନରେ ମୁକ୍ତା ଯୋଜନାରେ ମୁକ୍ତା ଶ୍ରମ ନିଯୁକ୍ତି ଯୋଜନା ମିଶନ ଶକ୍ତିଙ୍କ ସହଭାଗିତାରେ ସହରାଞ୍ଚଳର ରୁପାନ୍ତରଣରେ ପାରଳା ପୌରପାଳିକା ଦ୍ୱାରା ନିର୍ମାଣ ହୋଇଛି। ପୂର୍ବ ସରକାର ଅମଳରେ ଏହି ପ୍ରକଳ୍ପ ନିକଟରେ ୫-ଟି ଲୋଗୋ ଲଗାଇବାକୁ କୁହାଯାଇଥିଲା। ହେଲେ ସରକାର ବଦଳିବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବାର ଦିନକ ପରେ ରାଜ୍ୟର ସବୁ କାର୍ଯ୍ୟାଳୟ ଏବଂ ବିଭିନ୍ନ ପ୍ରକଳ୍ପରୁ ୫-ଟି ଲୋଗୋ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଗଜପତି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରୁ ଏହା ହଟିଛି। କିନ୍ତୁ ପାରଳାଖେମୁଣ୍ଡି ସହରରେ ଯୋଜନା ମାଧ୍ୟମରେ ହୋଇଥିବା ପ୍ରକଳ୍ପ ନିକଟରୁ ଏହା ହଟିପାରିନଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବି ପୌର ପ୍ରଶାସନ ଏ ଏହା ନହଟାଇବା ପଛରେ କି କାରଣ ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ। ଏହା ସମ୍ପର୍କରେ ଆମ ଖବର କାଗଜ ସହ ଅନ୍ୟ କେତେକ ଖବର କାଗଜରେ ଏହି ଖବର ପ୍ରକାଶ ପାଇବା ପରେ ପାରଳାଖେମୁଣ୍ଡି ପୌର ପ୍ରଶାସନ ସମସ୍ତ ଫଳକରେ ଥିବା ୫-ଟି ଲୋଗୋ ଉପରେ ସବୁଜ ରଙ୍ଗର ପ୍ଲାଷ୍ଟର ମାରି ଏହାକୁ ଘୋଡ଼ାଇ ଦେଇଛିନ୍ତି. ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶର ୧୦ ଦିନ ପରେ ପାରଳା ପୌର ପ୍ରଶାସନ ତରଫରୁ ହୋଇଥିବା ଏହି ଘଟଣା ବର୍ତ୍ତମାନ ସହରର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *