ଟିପିଏସ୍ଓଡିଏଲ୍ ସହଯୋଗରେ ଜାତୀୟ ଊର୍ଜା ମେଳାରେ ବ୍ରହ୍ମପୁର ଛାତ୍ରୀଙ୍କ ସଫଳତା– ବିଚାରକ ଏବଂ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଅନୁଷ୍କାଙ୍କ ଅଭିନବ ପ୍ରକଳ୍ପ ବ୍ରହ୍ମପୁର,
ଗଞ୍ଜାମ: ଟିପିଏସ୍ଓଡିଏଲର ସହଯୋଗରେ ବ୍ରହ୍ମପୁର ଡିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାହୁ ଜାତୀୟ ଊର୍ଜା ମେଳା ୨୦୨୪ରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଦିଲ୍ଲୀର ଟାଟା ପାୱାର – ଡିଡିଏଲ୍ ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍କାଙ୍କ ଅଭିନବ ପ୍ରକଳ୍ପ “ଏରୋ ପ୍ୟାଜୋ ଫ୍ୟୁଜନ”କୁ ବିଚାରକ ଏବଂ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରକଳ୍ପରେ ଶକ୍ତି ଉତ୍ପାଦନ ଏବଂ ପରିବେଶ ସୁରକ୍ଷା ବିଷୟରେ ନୂତନ ଧାରଣା ପ୍ରଦର୍ଶନ କରାଯାଇଥିଲା। ଶିକ୍ଷୟତ୍ରୀ ତୃପ୍ତି ରାଣୀ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍କା ଏହି ମଡେଲ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ବିଜ୍ଞାନ ଓ ସୃଜନଶୀଳତାର ସମନ୍ୱୟ ଦେଖିବାକୁ ମିଳିଥିଲା। ତାଙ୍କର ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ଅକ୍ଷୟ ଶକ୍ତିର ଉପଯୋଗ ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରିବା।
ଏହି ପ୍ରକଳ୍ପରେ ପ୍ୟାଜୋଇଲେକ୍ଟ୍ରିକ ଜେନେରେଟର, ପବନ ଚାଳିତ ଟର୍ବାଇନ୍, ଜୋତା ଇତ୍ୟାଦି ବ୍ୟବହାର ହୋଇଛି ଏବଂ ଏଥିରେ ପ୍ରଦୂଷକରୁ କାଳି ତିଆରି ହୋଇପାରିବ। ଏହା ଶକ୍ତି ଉତ୍ପାଦନ ସହ ପରିବେଶ ସ୍ୱଚ୍ଛ ରଖିବାରେ ସହାୟକ ହେବ। ଅନୁଷ୍କା ସାହୁ କହିଛନ୍ତି, “ମୋର ଏହି ପ୍ରକଳ୍ପ ଶକ୍ତି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା କରିବାରେ ସାହାଯ୍ୟ କରିବ, ଯାହା ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଟିପିଏସ୍ଓଡିଏଲ୍ ମୋତେ ଏଭଳି ସୁଯୋଗ ଦେଇଥିବାରୁ ଏବଂ ମୋ ଭଳି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ସ୍ଥାୟୀ ସମାଧାନ ବାହାର କରିବା ଦିଗରେ ପ୍ରେରିତ କରିଥିବାରୁ, ମୁଁ ଟିପିଏସ୍ଓଡିଏଲ୍ ନିକଟରେ କୃତଜ୍ଞ।”ବାସ୍ତବ ଦୁନିଆର ସମସ୍ୟାର ସମାଧାନ କରିବା ସାମର୍ଥ୍ୟ ରହିଥିବାରୁ ଅନୁଷ୍କାଙ୍କ ପ୍ରକଳ୍ପ ବେଶ୍ ଉପଯୋଗୀ।
ଏହା ବିଜ୍ଞାନ ପ୍ରତି ତାଙ୍କର ଭଲ ପାଇବା ଏବଂ ସମାଧାନ ବାହାର କରିବାର ଦୃଢ଼ ଇଚ୍ଛାକୁ ଦର୍ଶାଉଛି। କେବଳ ଅନୁଷ୍କା ନୁହଁନ୍ତି, ବରଂ ଦକ୍ଷିଣ ଓଡ଼ିଶାର ଅନେକ ଯୁବ ପ୍ରତିଭାଙ୍କୁ ଟିପିଏସ୍ଓଡିଏଲ୍ ଏଭଳି ସହଯୋଗ କରୁଅଛି। ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଇଥିବାରୁ, ଅନୁଷ୍କାଙ୍କ ସଫଳତାରେ ଟିପିଏସ୍ଓଡିଏଲର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ଊର୍ଜା ମେଳା ୨୦୨୪ରେ ସଫଳତା ପାଇଁ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଅନୁଷ୍କା ଏବଂ ତାଙ୍କ ମାର୍ଗଦର୍ଶକ ତୃପ୍ତି ରାଣୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଜାତୀୟ ଊର୍ଜା ମେଳାରେ ଅନୁଷ୍କାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ। ଏହା ଆମ ଯୁବପିଢି ନିକଟରେ ଥିବା ପ୍ରତିଭାକୁ ପ୍ରତିଫଳିତ କରୁଛି। ଟିପିଏସ୍ଓଡିଏଲରେ ଆମେ ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସ୍ଵପ୍ନ ସାକାର କରିବା ଉପରେ ଗୁରୁତ୍ବ ଦେଇ କାମ କରୁ। ଅନୁଷ୍କାଙ୍କ ଏହି ସଫଳତା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଅଭିନବ ସମାଧାନ ଦିଗରେ ପ୍ରେରଣା ଯୋଗାଇବ।”ଦିଲ୍ଲୀରେ ଆୟୋଜିତ ଜାତୀୟ ଊର୍ଜା ମେଳା ୨୦୨୪ ହେଉଛି ଉତ୍ସାହ, ସୃଜନଶୀଳତା ଏବଂ ସଷ୍ଟେନେବିଲିଟିକୁ ପ୍ରୋତ୍ସାହିତ କରୁଥିବା ଏକ କାର୍ଯ୍ୟକ୍ରମ। ଟାଟା ପାୱାର କାର୍ଯ୍ୟ ପରିସରଭୁକ୍ତ ୮୦ ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଇଜ୍, ଚିତ୍ରକଳା, ପଥପ୍ରାନ୍ତ ନାଟକ, ବିଜ୍ଞାନ ମେଳା ଭଳି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରିଥିଲେ।