ଚିକିଟି ବେଆଇନ ମଦ କାରବାର ଘଟଣା: ବ୍ରହ୍ମପୁର ଅବକାରୀ ଇନ୍ସପେକଟର ଓ ସବ୍-ଇନ୍ସପେକଟରଙ୍କୁ ନିଲମ୍ବନ; ବଦଳିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ
ଭୁବନେଶ୍ୱର: ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସରକାରୀ କାର୍ଯ୍ୟରେ ଅବହେଳା, ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଂଘନ କରିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍ସପେକଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍-ଇନ୍ସପେକଟର ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବିତ କରାଯାଇଛି । ଏଥି ନେଇ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିଲମ୍ବନ ସମୟ ଅବଧି ମଧ୍ୟରେ ଉଭୟଙ୍କ ମୁଖ୍ୟାଳୟ ଅବକାରୀ ଡେପୁଟି କମିଶନର (ଦକ୍ଷିଣାଞ୍ଚଳ ଜୋନ୍) ସ୍ଥିର କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ସେହିପରି ବ୍ରହ୍ମପୁରର ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବଦଳି କରାଯିବା ସହ ତୁରନ୍ତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ, କଟକରେ ଯୋଗଦେବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରର ଉପ-ଅଧୀକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କୁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଭାବେ ଦାୟିତ୍ୱ ନେବା ପାଇଁ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି ।