ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି ଯୋଗୁଁ ଲୋକେ ପାଉନାହାନ୍ତି ସରକାରୀ ସ୍ୱାସ୍ଥ୍ୟସେବା

ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି ଯୋଗୁଁ ଲୋକେ ପାଉନାହାନ୍ତି ସରକାରୀ ସ୍ୱାସ୍ଥ୍ୟସେବା

ଗଜପତି (୧୮/୬/୨୦୨୪):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଥିବା ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଡାକ୍ତରଙ୍କ ମରୁଡି ଦେଖାଦେଇଛି. ଏହାଦ୍ୱାରା ଆଦିବାସୀ ଅଧୁଷିତ ଏହି ଅଞ୍ଚଳର ଲୋକମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି. ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବାବେଳେ ଆଦିବାସୀ ବହୁଳ ଗୁମ୍ମା ଅଞ୍ଚଳର ଲୋକେ କୌଣସି ସୁବିଧା ପାଉନାହାନ୍ତି. ଗରିବ ଓ ଆର୍ଥିକ ଅନାଟନରେ ଥିବା ଏହି ଅଞ୍ଚଳବାସୀ ଯେକୌଣସି ରୋଗ ହେଲେ ସେମାନଙ୍କୁ ଗୁମ୍ମା ସରକାରୀ ଡାକ୍ତରଖାନାରେ କୌଣସି ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ. ଏଣୁ ପାରଳାଖେମୁଣ୍ଡିରେ ଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନା ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ଆନ୍ଧ୍ରର ଶିକାକୁଲମ, ବିଜୟନଗର ଓ ବିଶାଖାପାଟଣାରେ ରହୁଥିବା ଘରୋଇ ଡାକ୍ତରଖାନାକୁ ବହୁ ଅର୍ଥ ବ୍ୟୟ କରି ଯିବାକୁ ପଡୁଛି ବୋଲି ଗୁମ୍ମା ଅଞ୍ଚଳର ମିନସ ମଣ୍ଡଳ, ପ୍ରବୀଣ କୁମାର, ସୁକୁ ମଣ୍ଡଳ ପ୍ରମୁଖ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଅଭିଯୋଗ କରି କହିଛନ୍ତି ଯେ, ଏଠାରେ ନାହାଁନ୍ତି ଶିଶୁ ରୋଗ ଓ ଅନେସ୍ତେସିଆ ବିଶେଷଜ୍ଞ ଯାହା ଫଳରେ ଗୁମ୍ମା ବ୍ଲକର ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁ ମାନଙ୍କ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି. ଯାହାଫଳରେ ଅଯଥା ଖର୍ଚ୍ଚର ଶିକାର ହେବାକୁ ପଡୁଛି. ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ଓ ଋତୁ ପରିବର୍ତ୍ତନ ଶିଶୁଙ୍କ କ୍ଷେତ୍ରରେ ଥଣ୍ଡା ଜ୍ୱର, ମୁଣ୍ଡ ବଥା, କାଶ ଆଦି ବିଭିନ୍ନ ପ୍ରକାର ରୋଗ ଦୁଇଗଣ ବୃଦ୍ଧି ପାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଗଜପତି ଜିଲ୍ଲା ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦୁଇ ବର୍ଷ ହେଲା ନାହାଁନ୍ତି ଶିଶୁ ରୋଗ ବିଶେଷଜ୍ଞ ଓ ଅନେସ୍ତେସିଆ ଡାକ୍ତର। ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦେଉଥିବା ସହ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୁମ୍ମା ବ୍ଲକରେ ଶିଶୁ ବିଭାଗର ବିଶେଷଜ୍ଞ ନାହାନ୍ତି।ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଗୁମ୍ମା ଅଞ୍ଚଳରେ ଥିବା ଆଦିବାସୀ ହରିଜନ ଓ ବିଭିନ୍ନ ବର୍ଗର ଲୋକେ ବସବାସ କରୁଛନ୍ତି।ଏହି ବ୍ଲକରେ ପ୍ରାୟ 60 ହଜାର ଲୋକ ବସବାସ କରୁଥିବା ବେଳେ ପ୍ରତି ୬ମାସ ମଧ୍ୟରେ ୧୮ ହଜାର ରୁ ୨୦ ହଜାର ରୋଗୀ ଚିକିତ୍ସା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତି। ୧୦ବର୍ଷ ରୁ କମ ବୟସ ପିଲାଙ୍କ ସଂଖ୍ୟା ପ୍ରାୟ ୧୦ହଜାର ରୁ ଉର୍ଦ୍ଧ୍ବ ରହିଥିବାବେଳେ ଚିକିତ୍ସା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ସେହିପରି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିକିତ୍ସା ମଧ୍ୟ ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରେ।ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୪ ଜଣ ଡକ୍ଟର ରହିଥିବା ବେଳେ ଜଣେ ମଧ୍ୟ ନାହାନ୍ତି ଶିଶୁ ରୋଗ ବିଶେଷଜ୍ଞ ଓ ଅନେସ୍ତେସିଆ ଡାକ୍ତର।ଶିଶୁଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ସହ ବ୍ରହ୍ମପୁର ଓ ଆନ୍ଧ୍ରର ଘରୋଇ ଡାକ୍ତରଖାନାକୁ ଯିବା ଆସିବା ପାଇଁ ଅଯଥା ଟଙ୍କା ଖର୍ଚ୍ଚ ହେବା ସହ ବିଭିନ୍ନ ସମସ୍ୟା ହେଉଛି। ହେଲେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଜଣେ ହେଲେ ଶିଶୁ ବିଶେଷଜ୍ଞ ନାହାନ୍ତି, ଡେପୁଟେସନରେ ଜଣେ ଡାକ୍ତର ଅଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଜଣ ଶିଶୁ ବିଶେଷଜ୍ଞ ରହିବା କଥା ସେହିପରି ଅନେସ୍ତେସିଆ ଡାକ୍ତର ମଧ୍ୟ ପାରଳା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି. ଯଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି. ଘଟଣା ନେଇ ଆମ ପ୍ରତିନିଧି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଗୁମ୍ମା ଡାକ୍ତରଖାନାରେ ୧୨ ଜଣ ଡାକ୍ତର ପଦବୀ ରହିଥିବାବେଳେ ବର୍ତ୍ତମାନ ୪ ଜଣ ଡାକ୍ତର ଲୋକଙ୍କୁ ସେବା ଯୋଗାଉଛନ୍ତି. ୮ ଗୋଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ସାଧାରଣଙ୍କୁ ଯୋଗାଇବାରେ ଅସୁବିଧା ହେଉଛି. ତୁରନ୍ତ ସମସ୍ତ ଡାକ୍ତର ପଦବୀ ପୂରଣ ପାଇଁ ଅନେକ ଥର ଚିଠି ଦ୍ୱାରା ସରକାର ତଥା ପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *