ଗାଁ ମଣ୍ଡପରେ ଲାଗିଛି ଭୋଟ ବର୍ଜନ ପୋଷ୍ଟର!

ଗାଁ ମଣ୍ଡପରେ ଲାଗିଛି ଭୋଟ ବର୍ଜନ ପୋଷ୍ଟର। ଗ୍ରାମରେ କୌଣସି ଅଧିକାରୀ କିମ୍ବା ରାଜନେତାଙ୍କୁ ପୁରାଇ ନଦେବା ପାଇଁ ଦିଆଯାଇଛି ଚେତାବନୀ | ଆର,ଉଦୟଗିରି (ମନୋଜ କୁମାର ପାଢୀ):

ଗ୍ରାମର ମୌଳିକ ସମସ୍ୟା ସମାଧାନ ନ ହେବାରୁ ଗାଁ ମଣ୍ଡପରେ ଲାଗିଛି ଭୋଟ ବର୍ଜନ ପୋଷ୍ଟର। ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଗ୍ରାମରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରି ସମୂହ ଭୋଟ ବର୍ଜ୍ଜନ ପାଇଁ ଲଗାଇଛନ୍ତି ପୋଷ୍ଟର। ଆଗମୀ ନିର୍ବାଚନରେ ଭୋଟ୍ ନ ଦେବା ପାଇଁ ଚେତାବନୀ ଦେଇଛନ୍ତି ଗାଁ ଲୋକେ। ଏଭଳି ଗାଁ ହେଉଛି ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ମାଣିକପୁର ଗ୍ରାମପଞ୍ଚାୟତର ଦୁଇଟି ରାଜସ୍ବ ଗ୍ରାମ ବାଲିଗଣ୍ଡା ଏବଂ କାମରାଖାଳି। ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ଗ୍ରାମ ଦ୍ୱୟରେ ଦୀର୍ଘ ୨୦୦ ବର୍ଷରୁ ଅଧିକ ହେବ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଘର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା, ପାନୀୟଜଳ, ବିଦ୍ୟୁତ ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଯଦିଓ ଏହି ଗ୍ରାମରେ ବିଦ୍ୟାଳୟ ରହିଛି। ହେଲେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି। ବର୍ଷ ବର୍ଷ ଧରି ବିଭିନ୍ନ ମୈଳିକ ସୁବିଧାରୁ ବଞ୍ଚିତ ରହୁଥିବା ଗ୍ରାମବାସୀ ବାରମ୍ଵାର ବିଡ଼ିଓ, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ସମେତ ବହୁ ନେତା ମନ୍ତ୍ରୀଙ୍କୁ ଲିଖିତ ଆକାରରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇ ଆସିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ସାମ୍ନା କରୁଥିବା ସମସ୍ୟାର ସମାଧାନ ହୋଇ ପାରିନାହିଁ। ନିର୍ବାଚନ ଆସିଲେ ଭୋଟ ହାତେଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇ ମନ ଭୁଲାଇ ଦେଉଛନ୍ତି ରାଜନେତା। ଯାହା ଫଳରେ ଏହି ଦୁଇଟି ଗ୍ରାମବାସୀ ଚଳିତ ଥର ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦି କେହି ଅଧିକାରୀ ହୁଅନ୍ତୁ କିମ୍ୱା ରାଜନେତା ଯଦି କେହି ଭୋଟ ପାଇଁ ଆସନ୍ତି ତାହେଲେ ସେମାନଙ୍କ କାହାକୁ ଗ୍ରାମରେ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସମସ୍ତ ଗ୍ରାମବାସୀ। ଅପରପକ୍ଷରେ ବାଲିଗଣ୍ଡା ଏବଂ କାମରାଖାଳି ଉଭୟ ଗ୍ରାମ ଲକ୍ଷାରୀ ଅଭୟାରଣ୍ୟ ପରିସୀମାରେ ଅବସ୍ଥିତ ରହିଛି। ଯେଉଁ କାରଣରୁ ଏହି ୨ ଗ୍ରାମର ସାମୂହିକ ବିକାଶରେ ଜାତୀୟ ବନ ସଂରକ୍ଷଣ ଆଇନ ବାଧକ ସାଜିଛି। ଯାହା ସମ୍ପୁର୍ଣ୍ଣ ଭାବେ ବନ ବିଭାଗ ଅଧିନରେ ରହିଛି। ଗ୍ରାମବାସୀଙ୍କ ସମସ୍ୟା ଏବଂ ଭୋଟ ବର୍ଜ୍ଜନ ନିଷ୍ପତି ସମ୍ପର୍କରେ ପ୍ରତିକ୍ରିୟା ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ। ଏନେଇ ବନଖଣ୍ଡ ଅଧିକାରୀ ଜଣଙ୍କ କହିଛନ୍ତି ପକ୍କା ରାସ୍ତା ଏବଂ ବିଦ୍ୟୁତ ଯୋଗଣ ପାଇଁ ଗ୍ରାମବାସୀ ବିଭାଗୀୟ କାର୍ଯ୍ୟାଳୟରେ ଜଣାଇଥିଲେ। ଉକ୍ତ ବିଷୟ ଉପରେ ବିଚାର କରିବା ପାଇଁ ଗଜପତି ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି। ସେହିପରି ବିଦ୍ୟୁତ୍ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଉନ୍ନୟନ ମୂଳକ କାମ କରିପାରିବେ। ହେଲେ ସେମାନେ କୌଣସି ବିକାଶ ମୂଳକ କାମ କରିବା ପୂର୍ବରୁ ବନ ବିଭାଗ ଅନୁମତି ନେବା ଆବଶ୍ୟକ ବୋଲି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *