ଗଦଗୁଡ଼ା କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ବୁଧବାର ଦିନ ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗଦଗୁଡ଼ା କ୍ଲଷ୍ଟରରେ ସି. ଆର୍.ସି. ସି ଶ୍ରୀ ପବିତ୍ର କୁମାର ସାହୁଙ୍କ ତତ୍ତ୍ଵାବଧାନରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଯାଅଛି । ଗଡାଗୁଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ପ୍ରଧାନ, ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ,ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ, ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ବିଜେୟିତା ନାୟକ,ୱାର୍ଡ ମେମ୍ବର ଆଦି ଅତିଥି ଭାବେ ଯୋଗ ଦେଇ ଥିବାବେଳେ କ୍ଲଷ୍ଟର ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟରୁ ଦଶ ଜଣ ଲେଖାଏଁ ଶିଶୁ ଓ ଅଭିଭାବକ ଯୋଗଦାନ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସାହାଣୀ ପ୍ରଦୀପ ପ୍ରଜ୍ବଳନ କରି ନିପୁଣ ଓଡ଼ିଶା ମେଳାର ଉଦଘାଟନ କରିଥିଲେ। ଇତ୍ୟବସରେ ଭାଷା,ଗଣିତ ଓ ସୃଜନଶୀଳ ନିମନ୍ତେ ପ୍ରସ୍ତୁତ ହୋଇଥିବା ଷ୍ଟଲ୍ ରେ ପ୍ରଚୁର ପରିମାଣର ଶିକ୍ଷଣ ଉପକରଣ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନେ ଗଳ୍ପ କଥନ,ନୃତ୍ୟ,ଗୀତ,ଅଭିନୟ ଆଦି ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ। କ୍ଲଷ୍ଟର୍ ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନ କରୁଥିବା ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରି ଅଧିକ ଉଦ୍ୟମ ଜାରି ରଖିବା ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀ ପରାମର୍ଶ ଦେଇଥିଲେ । ଗଦାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସି.ଆର୍. ସି. ସି. ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।