କୋରାପୁଟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାରାଥନ୍ ଗସ୍ତ କାର୍ଯ୍ୟକ୍ରମ

କୋରାପୁଟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାରାଥନ୍ ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ୱର/କୋରାପୁଟ: ଗତକାଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କୋରାପୁଟଗସ୍ତର ଦ୍ୱିତୀୟ ଦିନରେ ପଣ୍ଡିଘାଟ ପରିଦର୍ଶନ କରି କୋଲାବ ଜଳଭଣ୍ଡାରରେ ନୌବିହାର କରିବା ସହ ସିମିଲିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ପରେ ଦେଓମାଳି ଏବଂ ଇକୋ-ରିଟ୍ରିଟ ପଟୁସିଲ ଗସ୍ତ କରିଥିଲେ ।

ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କୋରାପୁଟ ବ୍ଲକ ଅନ୍ତର୍ଗତ ପଣ୍ଡି ଘାଟ ଏବଂ କୋଲାବ ଜଳଭଣ୍ଡାର ପରିଦର୍ଶନ କରିଥିଲେ । ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ଏବଂ ହୃଦୟସ୍ପର୍ଶୀ। ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସଂଭାବନା ଅଛି ଏବଂ ଏଥିପାଇଁ ବିଭାଗ ତରଫରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ପର୍ଯ୍ୟଟନ ବିଭାଗର ସଚିବ ଶ୍ରୀ ବଲୱନ୍ତ ସିଂ, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଏବଂ ଆରକ୍ଷୀ ଅଧିକ୍ଷକ, କୋରାପୁଟ ଏବଂ ଅନ୍ୟ ଅଧିକାରୀଙ୍କ ସହ କୋଲାବ ଜଳଭଣ୍ଡାରରେ ନୌବିହାର ମଧ୍ୟ କରିଥିଲେ ।

ପରେ କୋରାପୁଟରୁ ପୁଟସିଲ ଯିବା ରାସ୍ତାରେ ସ୍ଥାନୀୟ ଜନ ସାଧାରଣମାନଙ୍କ ଦ୍ଵାରା ସୁନାବେଡ଼ା ଏବଂ ପାକଝୁଲା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଵାଗତ ଓ ସମ୍ବର୍ଦ୍ଧନା ସମୟରେ ଲୋକ ମାନଙ୍କର ସମସ୍ୟା ସହ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ । ଏଥି ସହ ନୂଆପୁଟ ଠାରେ କଫି ପ୍ଲାଣ୍ଟେସନ ବୁଲି ଦେଖିଥିଲେ ଏବଂ କଫି ଚାଷକ୍ଷେତ୍ରରେ କିପରି ଆହୁରି ଅଗ୍ରଗତି ହୋଇପାରିବ ସେ ସମ୍ପର୍କରେ ଚାଷୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ପୁଟସିଲ ଇକୋ-ରିଟ୍ରିଟରେ ପହଞ୍ଚି ଏହାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ କିପରି ଏହି ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିରେ ଆହୁରି ଅଧିକ ବିକାଶ ହୋଇପାରିବ ତାହା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଅପରାହ୍ନରେ କୋରାପୁଟରୁ ଦେଓମାଳି ଯିବା ରାସ୍ତାରେ ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇଥିବା ସ୍ଥାନର ଭିତ୍ତିଭୂମି ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଘନ କୁହୁଡି ସତ୍ତ୍ୱେ ଦେଓମାଳି ଗସ୍ତ କରିଥିଲେ । ଦେଓମାଳିରେ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶର ଅନୁଧ୍ୟାନ କରିବା ସହ ସାଧାରଣ ଜନତାଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଦେଓମାଳିକୁ ଅଧିକ ସରସ ଓ ସୁନ୍ଦର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସାଧାରଣ ଜନତାଙ୍କ ନିମନ୍ତେ ରୋଜଗାର ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ ।

ସନ୍ଧ୍ୟାରେ ମାନ୍ୟବର ବିଧାୟକ, କୋରାପୁଟ ଏବଂ କୋଟପାଡଙ୍କ ଉପସ୍ଥିତିରେ ପ୍ରଦକ୍ଷଣ ଗୃହ, କୋରାପୁଟ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ସମସ୍ତ ଯୋଜନାର ସମୀକ୍ଷା କରିଥିଲେ ମାନନୀୟା ଉପମୁଖ୍ୟମନ୍ତ୍ରୀ ।

ଆଜି ଦିନ ମାନନୀୟା ଉପମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତକରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ଉପାନ୍ତ ଅଞ୍ଚଳରେ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *