କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟର ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ

କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟର ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିହାର, ଛତିଶଗଡ଼, ଝାଡଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର କୃଷି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇଥିଲେ ।

ସମ୍ମିଳନୀ ଆରମ୍ଭରେ ଓଡିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଓଡ଼ିଶା କୃଷି କ୍ଷେତ୍ରରେ ଜଳବାୟୁ ଅନୁକୂଳ ଚାଷକୁ ପ୍ରୋତ୍ସାହନ ଦେଇ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ବଳଭଦ୍ର ଜୈବିକ ଚାଷ ଯୋଜନା କରିଛି । କୃଷି କ୍ଷେତ୍ରରେ ଲିଙ୍ଗଗତ ଅସମାନତାକୁ ଦୂର କରିଛି । କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର କରି ଇ-ଚାଷ ଆପ୍ ଜରିଆରେ ଚାଷ ଜମି ଗୁଡ଼ିକର ଜିଓ ଟ୍ୟାଗିଂ କରିଛି । ଡିଜିଟାଲ କ୍ରପ ସର୍ଭେ ପଦ୍ଧତି ଆପଣେଇ ପ୍ରକୃତ ତଥ୍ୟ ହାସଲ କରି ପାରୁଛି । ରାଇସ ଫାଲୋ ମ୍ୟାନେଜମେଣ୍ଟ ଜରିଆରେ ୪ ଲକ୍ଷ ହେକ୍ଟର ଚାଷଜମିକୁ ବ୍ୟବହାର କରି ରାଜ୍ୟରେ ୬ ପ୍ରକାର ଡ଼ାଲି ଓ ୨ ପ୍ରକାର ତୈଳବୀଜ ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି କରି ପାରିଛି । କିଛିଦିନ ପୂର୍ବରୁ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ପାରମ୍ପରିକ ଖାଦ୍ୟ ତଥା କୃଷି ଐତିହ୍ୟର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କରାଯାଇଛି । ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲ୍ ଗେଟ୍ ସ ଓଡ଼ିଶା ଭ୍ରମଣରେ ଆସିଥିବାବେଳେ ଓଡ଼ିଶାର କୃଷି ଭବନ ପରିଦର୍ଶନ କରିଥିଲେ ଏବଂ ଓଡ଼ିଶାର କୃଷି ସମୃଦ୍ଧି ହେଲ୍ପଲାଇନର କାର୍ଯ୍ୟ ବିଷୟରେ ଜାଣି ପ୍ରଶଂସା କରିଥିଲେ l

ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ଓଡ଼ିଶା ବର୍ତ୍ତମାନ ଚାଷ ପାଇଁ ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରୁଛି । ନିକଟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଚାଷୀଙ୍କୁ ଇନ୍ସୁରାନ୍ସ ପ୍ରଦାନ କରାଯାଉଛି ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଡ଼ ଦେବେଶ ଚତୁର୍ବେଦୀ ଓଡ଼ିଶା କୃଷି ବିଭାଗ ଦ୍ୱାରା ପ୍ରଣୀତ ପ୍ରମୁଖ ଯୋଜନା ଗୁଡ଼ିକର ପ୍ରଶଂସା କରିଥିଲେ । ସମ୍ମିଳନୀରେ ଚାରୋଟି ଅଧିବେଶନରେ ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଥିଲା l

ପରେ ପରେ କେନ୍ଦ୍ରୀୟ ଯୋଜନା ଗୁଡ଼ିକ ଯଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଉନ୍ନତି ଯୋଜନା, ପିଏମ୍ ଜନ ଜାତୀୟ ଉନ୍ନତ ଅଭିଯାନ, ଡିଜିଟାଲ ଏଗ୍ରୀକଲଚର ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ତୈଳବୀଜ ମିଶନ ପ୍ରଭୃତିର ସମୀକ୍ଷା କରାଯାଇଥିଲା । କେନ୍ଦ୍ର ଯୁଗ୍ମ ଶାସନ ସଚିବ ଶ୍ରୀମତି ଋକ୍ମୁଣି ଦେବୀ ‘Namo Drone Didi’ ବିଷୟରେ ଉପସ୍ଥାପନ କରିଥିଲେ ।
କେନ୍ଦ୍ର କୃଷି ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର କିଶାନ ଉଦ୍ଘାଟନ ଅବସରରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧିବେଶନ ଶେଷରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *