କଠୋର ପରିଶ୍ରମ ଦ୍ବାରା ଏହି ଲକ୍ଷ୍ୟ ହାସଲ କରିପାରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ଆମର ଲକ୍ଷ୍ୟ। ସେଥିପାଇଁ, ଆଦିବାସୀବହୁଳ ଜିଲ୍ଲା ମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ। ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବାପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ଗୁରୁ ମନ୍ତ୍ର ଦେଇଛନ୍ତି। ସେଇ ମନ୍ତ୍ରରେ ଦୀକ୍ଷିତ ହୋଇ, ସମସ୍ତଙ୍କୁ ସାମିଲ କରି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶୃତିବଦ୍ଧ। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ- ଏ ସବୁ ଲକ୍ଷ୍ୟ ପୂରଣ ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହାସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକଯୁବତୀ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ।ରାଜ୍ୟରେ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ସହଜ ଭାବରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯେଉଁଥିରେ କୌଣସି ଯୋଗ୍ୟ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ । ଆମର ବିକାଶର ରାସ୍ତାରେ ଆମେ ୩ଟି ବଡ ମାଇଲଖୁଣ୍ଟ ଧାର୍ଯ୍ୟ କରିଛୁ। ୨୦୨୯, ୨୦୩୬ ଓ ୨୦୪୭। ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ବିକଶିତ ଭାରତର ବିସ୍ତୃତ ସ୍ୱରୂପ ମଧ୍ୟରେ ଆମକୁ ଓଡିଶାର ବିକାଶକୁ ଆଗେଇ ନେଇ ୨୦୩୬ ମଧ୍ୟରେ ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ।ଆମର ଚିନ୍ତା ଓ ଚେତନାରେ କେବଳ ଗୋଟିଏ ଲକ୍ଷ୍ୟ ରହିଛି। ତାହା ହେଉଛି, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରି ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବା।ଏଥିପାଇଁ ଆମେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ପୂର୍ବୋଦୟ’ ଉପରେ ଅନେକ ଗୁରୁତ୍ବାରୋପ କରି ଆସୁଛନ୍ତି। ଦେଶର ବିକାଶର ରେଳ ଗାଡ଼ିରେ ଓଡ଼ିଶା ପ୍ରଥମ ବଗି ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ। *ତେଣୁ ବିକାଶର ଡବଲ ଇଞ୍ଜିନ ମଡେଲ ଯେ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ, ଏଥିରେ ସନ୍ଦେହ ନାହିଁ*।ଓଡ଼ିଶାକୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦ୍ୱାରଦେଶ ରୂପେ ବିକଶିତ କରିବା ଆମର ଲକ୍ଷ୍ୟ। ସେଥିପାଇଁ ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମିର ସୁବିନିଯୋଗ କରି ବନ୍ଦର ଓ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ପାଇଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ। ଏଥିପାଇଁ ସଡ଼କ ପଥ, ରେଳପଥ, ଶିଳ୍ପାଞ୍ଚଳ, ବିଦ୍ୟୁତ୍ ଗ୍ରୀଡ ଆଦି ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ। ନିକଟରେ ରେଳ ମନ୍ତ୍ରାଳୟ, ଓଡ଼ିଶା ପାଇଁ ୬ଟି ଗୁରୁତ୍ଵପୂର୍ଣ୍ଣ ରେଳପଥ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଏହି ୬ ଗୋଟି ପ୍ରକଳ୍ପ ଦକ୍ଷିଣ ତଥା ଉତ୍ତର ଓଡିଶାର ଅନେକ ଆଦିବାସୀ ବହୁଳ ଜିଲ୍ଲାମାନଙ୍କୁ ରେଳପଥରେ ସଂଯୋଗ କରି, ବିକାଶ ପଥରେ ସାମିଲ ହେବାର ପଥ ଉନ୍ମୁକ୍ତ କରିବ। ଏହାସହିତ ଓଡିଶାରେ ନୂତନ ଜାତୀୟ ରାଜପଥର ନିର୍ମାଣ ତଥା ଉନ୍ନତିକରଣ ପାଇଁ ୨୧,୬୫୦ କୋଟି ଟଙ୍କାର ବହୁବିଧ ପ୍ରକଳ୍ପ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ଭାରତ ସରକାରଙ୍କୁ ଦିଆଯାଇଛି। ଓଡ଼ିଶାର ବେଳାଭୂମି ଓ ଜଳ ସମ୍ପଦର ବିକାଶ ମାଧ୍ୟମରେ ନୀଳ ଅର୍ଥନୀତି (Blue Economy)ର ବିକାଶ ମଧ୍ୟ ଆମର ଅନ୍ୟତମ ଲକ୍ଷ୍ୟ। ଅନୁସୂଚିତ ଜାତି ଓ ଜନଜାତି ହେଉଛନ୍ତି ଆମ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ବିକାଶ ନିତାନ୍ତ ଆବଶ୍ୟକ। ସେଥିପାଇଁ ଆମେ ଅନେକ ଯୋଜନା ଆରମ୍ଭ କରିଛୁ। ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛୁ। ‘ପି. ଏମ. ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(PVTG) ବର୍ଗର ଜନଜାତି ମାନଙ୍କର ସାମଗ୍ରିକ ବିକାଶ କରାଯିବ। ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ଜନଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ପାଠପଢା ଅଧାରୁ ସ୍କୁଲ ଛାଡିବା ସମସ୍ୟା ଦୂର ହୋଇପାରିବ। ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ। ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆମେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛୁ। କ୍ରୀଡାର ବିକାଶ ବିନା ଯୁବଶକ୍ତିର ବିକାଶ ଅସମ୍ଭବ। ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ଦେଶର ଗୌରବ ବଢାଇଛନ୍ତି। ଆଜିର ପବିତ୍ର ଦିନରେ ପୁଣି ଥରେ ଭାରତୀୟ ପୁରୁଷ ହକି ଦଳକୁ ମୁଁ ଅଭିନନ୍ଦନ ଜଣାଉଛି। ହକି ଦଳର ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କ ପାଇଁ ସାରା ଓଡିଶା ଆଜି ଗର୍ବିତ।*ରାଜ୍ୟରେ କ୍ରୀଡାର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରେ ୧୨୦ ଏକର ଅଞ୍ଚଳ ପରିବ୍ୟାପ୍ତ ଏକ ନୂତନ ବିଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିଅମ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ Indoor Velodrome, Mountain Biking, Swimming Pool, Football Ground, Archery Arena, Badminton Court ତଥା Fitness Park, ଯେଉଁଥିରେ ଖେଳାଳୀ ମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଭ୍ୟାସ କରିପାରିବେ* । ଏହାସହିତ ଆମେ ପ୍ରତି ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜାତୀୟ ସ୍ତରୀୟ ଷ୍ଟାଡିଅମ ନିର୍ମାଣ କରିବାକୁ ଯାଉଛୁ।ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍‌ ସମୟସୀମାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ରାଜ୍ୟର ମେଧାବୀ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛୁ।ଦେଶର ସୁରକ୍ଷା କ୍ଷେତ୍ରରେ ଅଗ୍ନିବୀର୍‌ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଓଡିଶାର ଯେଉଁ ଅଗ୍ନିବୀର୍‌ମାନେ ନିଜ କାର୍ଯ୍ୟକାଳ ଅବଧି ପରେ ସେନା ବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ, ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆମର ଏହି ସବୁ ଯୋଜନା ମାଧ୍ୟମରେ ଓଡିଶାର ପ୍ରତ୍ୟେକ ସ୍ତରରେ ବିକାଶର ଏକ ନୂଆ ଧାରା ସୃଷ୍ଟି ହେବ।୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ କରାଯିବ, ଯେଉଁଥିରେ Semi Conductor ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ଦୁଇ ଦଶନ୍ଧି ଓଡିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ। ସେଥିପାଇଁ, ଆମେ ଦୁଇଟି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛୁ। ଗୋଟିଏ ୨୦୩୬ ପାଇଁ ଓ ଆଉ ଗୋଟିଏ ୨୦୪୭ ପାଇଁ। ଏହା ଓଡିଶାର ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ କରାଯିବ। ଏଥିପାଇଁ, ଆମେ ଏକ ୱେବ ପୋର୍ଟାଲ ପ୍ରସ୍ତୁତ କରୁଛୁ। ଓଡ଼ିଶାର ଜନ ସାଧାରଣ, ବୁଦ୍ଧିଜୀବୀ ଓ ବିଶେଷଜ୍ଞ ମାନଙ୍କୁ ମତାମତ ପ୍ରଦାନ କରିବା ପାଇଁ ମୁଁ ଆହ୍ୱାନ କରୁଛି। ବିକଶିତ ଓଡ଼ିଶାର ରୂପରେଖ ଆପଣମାନେ ହିଁ ପ୍ରସ୍ତୁତ କରିବେ। ଆଉ ଆପଣମାନେ ହିଁ ନିଜର ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ଦ୍ବାରା ଏହି ଲକ୍ଷ୍ୟ ହାସଲ କରିପାରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *