କଟକରେ ନେତାଜୀ ଜୟନ୍ତୀ ଓ ପରାକ୍ରମ ଦିବସ ପାଳିତ
ଭୁବନେଶ୍ୱର: ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର 100 ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ ଦେଶାତ୍ମବୋଧର ଆଲୋଚନା ହୁଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ପରାକ୍ରମ ଦିବସ ପାଳନ ଅବସରରେ କହିଛନ୍ତି । ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏହି ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ 2021 ଜାନୁଆରୀ 19 ତାରିଖରୁ ଘୋଷଣା କରିଛନ୍ତି । ଓଡିଶାର ଏହି ବୀର ସନ୍ତାନଙ୍କ ଜନ୍ମ ସହରରେ ତାଙ୍କ ଜନ୍ମ ଦିବସକୁ ପାଳନ କରିବା ଆମ ପାଇଁ ବଡ ସୌଭାଗ୍ୟର ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅନେକ ଐତିହାସିକ ଓ ସେ ସମୟର ବ୍ରିଟିଶ ଶାସକ ମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନେତାଜୀଙ୍କ ସଶସ୍ତ୍ର ସଂଗ୍ରାମ ହୋଇନଥିଲେ, ହୁଏତ ଆହୁରି କିଛି ବର୍ଷ ବ୍ରିଟିଶ ସରକାର ଭାରତରେ ଶାସନ କରିପାରିଥାନ୍ତେ । ନେତାଜୀଙ୍କ ବୀରତ୍ୱ ଓ ସଂଗ୍ରାମକୁ ସମ୍ମାନ ପ୍ରଦର୍ଶନ କରି ଆମ ପ୍ରଧାନମନ୍ତ୍ରୀ 2018 ଡିସେମ୍ବର 30 ତାରିଖରେ ଭାରତ ବର୍ଷର ରସ୍ ଦୀପକୁ ନେତାଜୀ ସୁଭାଷ ବୋଷ ଦୀପ ଭାବେ ନାମ କରଣ କରିଛନ୍ତି ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଆଜି ତାଙ୍କ ଜନ୍ମ ସହର କଟକ ସାରା ଦେଶରେ ଗର୍ବିତ । କଟକର ଓଡିଆ ବଜାର ହେଉଛି ନେତାଜୀଙ୍କ ଜନ୍ମସ୍ଥାନ । ତାଙ୍କ ବାଲ୍ୟ ଜୀବନ ଏହିଠାରେ ହିଁ କଟିଛି । ରେଭେନ୍ସା କଲିଜିଏଟ୍ ସ୍କୁଲର ସେ ଜଣେ ମେଧାବୀ ଛାତ୍ର ଥିଲେ । କଟକରୁ ହିଁ ନେତାଜୀ ସୁଭାଷଙ୍କ ହୃଦୟରେ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଲେ ଯେ, ନେତାଜୀ ଆମ ଇତିହାସ ପୃଷ୍ଠାର ଏଭଳି ଜଣେ ନାୟକ ଥିଲେ ଯାହାଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ପଢିଲେ ଦେହରେ ରୋମାଞ୍ଚ ଭରିଉଠିବା ସହିତ ଆଖିରେ ଦୁଇ ଠୋପା ଲୁହ ମଧ୍ୟ ଜକେଇ ଆସେ । ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା । ଏକ ମୁକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା, ଦୃଷ୍ଟିକୋଣ ଏବଂ ନିର୍ଭିକ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିଥିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କଟକ ସହିତ ତାଙ୍କ ସମ୍ପର୍କ ବିଷୟରେ ଆଗାମୀ ପିଢିଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ଏଭଳି ଜଣେ ଦେଶଭକ୍ତ ଓ ସଂଗ୍ରାମୀଙ୍କ ବିଷୟରେ ଆମ ଯୁବପିଢି ବିସ୍ତୃତ ଭାବେ ପଢିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଆଇ.ଏନ.ଏ ଭେଟେରାନ ଲେପ୍ଟନାଣ୍ଟ ଆର୍. ମାଧବନ ପିଲାଇଙ୍କୁ ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ ଓହ୍ଲାଇ ସମ୍ବର୍ଦ୍ଧିତ କରିଥିଲେ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀଙ୍କ ଜୀବନୀ ସମ୍ବନ୍ଧିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କେ.ପି ସିଂହଦେଓ, କେନ୍ଦ୍ର ସଂସ୍କୃତି ସଚିବ ଶ୍ରୀ ଅରୁଣିଶ ଚାୱଲା ପ୍ରମୁଖ ଉପସ୍ଥିତ ଥିଲେ । ଆଇ.ଏନ୍.ଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିଅର ଆର.ଏସ୍ ଚିକାରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚିବା ପରେ ପ୍ରଥମେ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ ।