ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି ସମ୍ପର୍କିତ ୨ୟ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି ସମ୍ପର୍କିତ ୨ୟ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ଯ୍ୟ ସଂପର୍କରେ ବୈଠକରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା । ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ୱାରା ଅଦ୍ୟତନ କରାଯାଉଛି, ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ ସୁଦୃଢ ଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ । ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ନିମନ୍ତେ କାର୍ଯ୍ୟ ଜାରି ରହିଛି । ଆହୁରି ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରି କ୍ଷୟକ୍ଷତି ହ୍ରାସ କରିବା ପାଇଁ ଆଗୁଆ ସତର୍କ ସୂଚନା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନୋଡାଲ ବିଭାଗ ରହିଛନ୍ତି । ଜୁଲାଇ ୨୦୨୩ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ସମୟସୀମା ୨୦୨୮ ଏପ୍ରିଲ ପର୍ଯ୍ୟନ୍ତ ରହିଛି । ୧୧୮୩ କୋଟି ଟଙ୍କା ଅଟକଳରେ ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ପାଣ୍ଠି ୩୮୭ କୋଟି ଟଙ୍କା ରହିଛି । କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଏବଂ ତାହାକୁ କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ସଠିକ୍ ତଥ୍ୟ(ଡାଟା)ର ନିତାନ୍ତ ଆବଶ୍ୟକତା ରହିଥାଏ । ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତା ଭିନ୍ନ ଭିନ୍ନ ଉପାୟରେ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ସମସ୍ତ ତଥ୍ୟକୁ ସମନ୍ୱିତ କରାଯିବାର ଆବଶ୍ୟକତା ରହିଛି , ଯାହାକି ଏହି ପ୍ରକଳ୍ପ ଜରିଆରେ ହୋଇପାରିବ । ରାଜ୍ୟ ସରକାର ଆଗାମୀ ଦିନରେ ରାଜ୍ୟ ତଥ୍ୟ ନୀତି ( ଷ୍ଟେଟ୍ ଡାଟା ପଲିସି) ଆଣିବାକୁ ଯାଉଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ କେଉଁ କ୍ଷେତ୍ରରେ କେତେ କାର୍ଯ୍ୟ ଅଗ୍ରଗତି ହେବା କଥା, କେତେ କାମ ହୋଇଛି ଓ କାମର ମାନ ଦଣ୍ଡ କିପରି ହେବା କଥା ସେ ସଂପର୍କରେ ଉନ୍ନୟନ କମିଶନର ସମୀକ୍ଷା ପୂର୍ବକ ପ୍ରକଳ୍ପ କାର୍ଯ୍ୟ ଅଗଗ୍ରତି ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ବିଭାଗ ତଥା ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପରିଚାଳନା କମିଟିର ସଦସ୍ୟ ଥିବା ଅର୍ଥ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଜନା ଓ ସଂଯୋଜନ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓସଡମା ଏବଂ ସଂପୃକ୍ତ ଅନ୍ୟ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *