ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଅନ୍ତଃମହାବିଦ୍ୟାଳୟ ରକ୍ତଦାନ ଶିବିର ଅନୁଷ୍ଠିତ

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଅନ୍ତଃମହାବିଦ୍ୟାଳୟ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଆଜି ଜାତୀୟ ରକ୍ତଦାନ ଦିବସ ଅବସରରେ ଅନ୍ତଃ ମହାବିଦ୍ୟାଳୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ରକ୍ତଦାନ ପରି ଏକ ମହତ୍‌ କାର୍ଯ୍ୟ ପ୍ରତି ଯୁବପିଢି ଅଧିକ ଆଗ୍ରହ ପ୍ରକାଶ କରି ଏହାଦ୍ଵାରା ନିଜର ସାମାଜିକ କର୍ତ୍ତବ୍ୟପରାୟଣତା ପ୍ରଦର୍ଶନ କରିଥିବାରୁ କୁଳପତି ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ ସମସାମୟିକ ଯୁବପିଢି ବର୍ଗ ରକ୍ତଦାନ ପ୍ରତି ଅଧିକ ମାତ୍ରାରେ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଏଥିସହ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତଃମହାବିଦ୍ୟାଳୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କର ସ୍ବେଛାକୃତ ରକ୍ତଦାନ ମନୋଭାବ ଯୁବମାନସର ସେବାମୂଳକ ମନୋଭାବର ପରିଚୟ ପ୍ରତିପାଦିତ କରୁଛୁ ବୋଲି ମତପ୍ରକାଶ କରିଥିଲେ । ଭାରତୀୟ ରେଡ଼କ୍ରସ୍ ର ଆଂଚଳିକ ଶାଖା ସହାୟତରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜାତୀୟ ସେବା ଯୋଜନାର ସଂଯୋଜକ ଡ. ସନ୍ଦୀପ କୁମାର ରାଉତ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଡ. ସାରଦା ପ୍ରସାଦ ଦାସ ଏଥିରେ ସହାୟତା କରିଥିଲେ।ପ୍ରକାଶଯୋଗ୍ୟ ଯେ, ଆଜିର ଏହି ରକ୍ତଦାନ ଶିବିରରେ ଶତାଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମର ଶେଷରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *