ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତଆମର ଲକ୍ଷ୍ୟ ଆତ୍ମନିର୍ଭର ଓଡ଼ିଶା: ପ୍ରଫେସର ଚକ୍ରଧର ତ୍ରିପାଠୀ, କୁଳପତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ଆନନ୍ଦା ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସୁନାବେଡ଼ା:ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପ୍ରଫେସର ତ୍ରିପାଠୀ ଏହି ପବିତ୍ର ଦିବସରେ ବିଶ୍ବବିଦ୍ୟାଳୟର ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଅବସରରେ ଆମେ ଆମ ସହିଦମାନଙ୍କୁ ସମ୍ମାନ ଦେବା ଉଚିତ, ବିଶେଷ କରି ଓଡ଼ିଶା ଓ କୋରାପୁଟର ସହିଦମାନଙ୍କୁ ସମ୍ମାନ ଦେବା ଉଚିତ। ଭାରତର ପୁରାତନ ସଭ୍ୟତା ଯୋଗୁଁ ଆମେ ୨୦୪୭ ରେ ବିକଶିତ ଭାରତ ଆଡକୁ ଅଗ୍ରସର ହେଉଛୁ । ଅନେକ ସଭ୍ୟତା ଲୋପ ପାଇଗଲା, କିନ୍ତୁ ସକାରାତ୍ମକ ମୂଲ୍ୟବୋଧ ବ୍ୟବସ୍ଥା, ଉତ୍ତମ ଅଭ୍ୟାସ ଏବଂ ଆନୁଷଙ୍ଗିକ ସାଂସ୍କୃତିକ ବୈଶିଷ୍ଟ୍ୟ ପରି ଏହାର କିଛି ଅନନ୍ୟ ସାମାଜିକ ବ୍ୟବସ୍ଥା ଯୋଗୁଁ ଭାରତୀୟ ସଭ୍ୟତା ଅକ୍ଷୁର୍ଣ୍ଣ ରହିଲା ।ସ୍ୱାଧୀନତା ପରେ ଲିଖିତ ପବିତ୍ର ସମ୍ବିଧାନ ଆମକୁ ଆମର ଅଭିବୃଦ୍ଧି ଏବଂ ବିକାଶର ମାର୍ଗ ଦେଖାଇଥିଲା ।
ଲିଖିତ ସମ୍ବିଧାନରେ ଦର୍ଶାଯାଇଥିବା ୧୭ଟି ଚିତ୍ର ଆମର ପୁରୁଣା ଗୌରବ ଓ ଜୀବନଶୈଳୀର ପ୍ରତୀକ ବୋଲି ସେ କହିଥିଲେ । ଆମେ ସର୍ବଦା ଆମ ସମ୍ବିଧାନକୁ ପାଳନ କରି ଦେଶର ବିକାଶ କରିବା ଉଚିତ ବୋଲି ସେ ବିଶ୍ୱବିଦ୍ୟାଳୟ ସମୁଦାୟଙ୍କୁ ପରାମର୍ଶ ଦେଇଥିଲେ । ବିଶ୍ବବିଦ୍ୟାଳୟର ସମ୍ବିଧାନ ଅନୁଯାୟୀ କୋରାପୁଟ ଜିଲ୍ଲା ତଥା କେବିକେ ଅଞ୍ଚଳର ବିକାଶ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରଥମଟି ହେଉଛି ଜନଜାତି ମହିଳାଙ୍କ ମଧ୍ୟରେ ସାକ୍ଷରତା ବିକାଶ ଏବଂ ଦ୍ୱିତୀୟଟି ହେଉଛି କୋରାପୁଟର ଯୁବକମାନଙ୍କ ପାଇଁ ରୋଜଗାର ପନ୍ଥାର ସୃଷ୍ଟି କରିବା । ଜ୍ଞାନର ଉନ୍ନତି ତଥା ରାଜ୍ୟର ବିକାଶ ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଗବେଷଣା ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଆମ ପାଖରେ ଗବେଷଣା ଜ୍ଞାନ ଅଛି, କିନ୍ତୁ ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାର ସମୟ ଆସିଛି ବୋଲି ସେ କହିଥିଲେ । ସ୍ସେ ସୂଚନା ଦେଇ କହିଥିଲେ ଯେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମଗ୍ର ସାହିତ୍ୟକୁ ଓଡ଼ିଆ ଭାଷାରୁ ହିନ୍ଦୀ ଓ ଇଂରାଜୀକୁ ଅନୁବାଦ କମ ସାରିଛି ଯାହା ଆମ ସମସ୍ତଙ୍କ ପାଇଁ ଗୌରବର ମୁହୂର୍ତ୍ତ।ଦୁଇ-ତିନି ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟର ସ୍ଥିତି ସମ୍ପୂର୍ଣ୍ଣ ବଦଳିଯିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଅଧିକ କର୍ମଚାରୀ ନିଯୁକ୍ତି ହୋଇଯିବେ । କ୍ୟାମ୍ପସ ଭିତରେ କ୍ରୀଡ଼ାର ବିକାଶ ଓ ଅନ୍ୟାନ୍ୟ ସହପାଠ୍ୟକ୍ରମ କାର୍ଯ୍ୟକଳାପ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ବିଶ୍ବବିଦ୍ୟାଳୟରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ଲୁଚି ରହିଥିବା ପ୍ରତିଭାକୁ ଉନ୍ମୋଚନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ବୋଲି ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ କୁଳପତି ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ପ୍ରାକୃତିକ ସମ୍ପଦ ବିଭାଗର ଜୈବ ବିବିଧତା ଓ ସଂରକ୍ଷଣ ବିଭାଗର ସହ ପ୍ରାଧ୍ୟାପକ ଡ. ଦେବବ୍ରତ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ପ୍ରଫେସର ନରସିଂହ ଚରଣ ପଣ୍ଡା, କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡ. ପଦ୍ମଚରଣ ମିଶ୍ର, କାର୍ଯ୍ୟକ୍ରମର ସଂଯୋଜକ ଡ. ଏ. ଥୋଟାପଲ୍ଲୀ, ଡ. ମନୋଜ ସିଂହ, ପ୍ରଫେସର ଭରତ କୁମାର ପଣ୍ଡାଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଡ. କାକୋଳି ବାନାର୍ଜୀ, ଡ. ଚକ୍ରଧର ପଧାନ, ଡ. ଗୌରବ ରଞ୍ଜନ ଓ ଡ. ପ୍ରସେନ ଜିତ ସିହ୍ନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

