ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶରେ ଉଦ୍‍ଘାଟିତ

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶରେ ଉଦ୍‍ଘାଟିତ

ଭୁବନେଶ୍ୱର : ଓଡ଼ିଶା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଗର୍ବ ଓ ଗୌରବର କଥା । ଏହି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା ଏବଂ ଆନ୍ତର୍ଜାତୀୟ ସ୍ଥରରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରିବା । ଆଜି ଏହି ଆନ୍ତର୍ଜାତିୟ ଓଡ଼ିଶୀ ନୃତ୍ୟ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଉଦ୍‍ଘାଟିତ ହୋଇଯାଇଛି । ଏହି ପାଞ୍ଚଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ବିଦେଶ, ଦେଶ ତଥା ରାଜ୍ୟର ପ୍ରାୟ ୩୫୦ରୁ ଅଧିକ କଳାକାର ଯୋଗଦାନ କରୁଅଛନ୍ତି । ଚଳିତ ବର୍ଷ ଏହି ଉତ୍ସବ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆୟୋଜନ କରାଯାଉଅଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରବାସୀ ତଥା ପ୍ରତିନିଧିମାନଙ୍କ ଦ୍ୱାରା ଏହି ଉତ୍ସବକୁ ଦେଖିବାର ଲକ୍ଷ୍ୟ ରଖାଯାଇଛି । ଉଦ୍‌ଘାଟନୀ ସଂଧ୍ୟାର ଅତିଥିମାନେ ଥିଲେ ସୁବିଖ୍ୟାତ ସଙ୍ଗୀତ ବିଷାରଦା ଶ୍ରୀମତୀ ଶ୍ୟାମାମଣୀ ଦେବୀ; ବିଶିଷ୍ଟ ସଂସ୍କୃତ ବିଶାରଦ ପ୍ରଫେସର ଶ୍ରୀଯୁକ୍ତ ପ୍ରଫୁଲ୍ଲ ମିଶ୍ର; ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ।ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ କୁମ୍‍କୁମ୍‍ ମହାନ୍ତିଙ୍କ ଦ୍ୱାରା ପ୍ରଥମେ ଶ୍ରୀରାମ ବନ୍ଦନା ପରେ ପରେ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ୟାମୀ ହେ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ପବିତ୍ର କୁମାର ପ୍ରଧାନଙ୍କ ଦ୍ୱାରା ଅଭିନୟ ପ୍ରକୃତି ପୁରୁଷ ଏବଂ ଦ୍ୱୈତ୍ୟ ନୃତ୍ୟ ପର୍ଯ୍ୟାୟରେ ରାକ୍ଷୀ ଏସ୍‍.ଏସ୍‍ ଓ ଅର୍ଚ୍ଚନା ବାସୁଙ୍କ ଦ୍ୱାରା ମଧୁବନ୍ତି ପଲ୍ଲବୀ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପରିବେଷଣରେ ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ସୁକନ୍ୟା ଗାୟତ୍ରୀ ରଣବୀରଙ୍କ ଦ୍ୱାରା ସାଭିନୟ ପଲ୍ଲବୀ ପରେ ପରେ ସୌମ୍ୟା ବୋଷଙ୍କ ଦ୍ୱାରା ଅଭିନୟ କେଡ଼େ ଛନ୍ଦ ଜାଣେ ଲୋ ସହି, ଶକ୍ତି ସମ୍ପର୍ଣ୍ଣ ପରିଡ଼ା ଓ ସୁଚିଶ୍ମିତା ସାହୁଙ୍କ ଦ୍ୱାରା ନଦୀ ଓ ନାରୀ, ଦୁସାଶନ ସାହୁଙ୍କ ଦ୍ୱାରା ହଂସକଲ୍ୟାଣୀ ପଲ୍ଲବୀ ପରିବେଷିତ ହୋଇଥିଲା । ପରବର୍ତ୍ତୀ ନୃତ୍ୟଟି ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ମିନାକ୍ଷୀ ରାଣୀ ଜେନାଙ୍କ ଦ୍ୱାରା ଶିବାଷ୍ଟକମ୍‍ ଓ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ଦ୍ୱିଲୀରୁ ଆସିଥିବା ସାରନ୍‍ ଲୋରେନ୍‍ଙ୍କ ଦ୍ୱାରା ପ୍ରତିଷ୍ଠିତ ମାନସ – ଆର୍ଟ ଉଇଦାଉଟ୍‍ ଫ୍ରଣ୍ଟିୟର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ପ୍ରଥମେ ମଙ୍ଗଳା ଚରଣ ପରେ ପରେ ତରଙ୍ଗ ପଲ୍ଲବୀ ପରିବେଷିତ ହୋଇଥିଲା । ଏହି ଉତ୍ସବରେ କଳାପ୍ରେମୀ ପ୍ରବାସୀ ଭାରତୀୟଙ୍କ ସହିତ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବଟିର ସିଧାପ୍ରସାରଣ (ଲାଇଭ୍‍ ଷ୍ଟ୍ରିମିଂ) ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍‍ ଓ ଏକ୍ସ ତଥା ୟୁଟ୍ୟୁବ୍‍ ଚେନାଲରେ ଆସନ୍ତା ପାଞ୍ଚଦିନଧରି ପ୍ରସାରିତ ହେବ । ଆସନ୍ତା କାଳି ପୂର୍ବାହ୍ନ ୧୦ ଟାରୁ ୨ଟା ପର୍ଯ୍ୟନ୍ତ ବହୁ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ ଏବଂ ଦିନ ୪ଟାରୁ ପୁଣି ଆରମ୍ଭ ହେବ ଅପରାହ୍ନ ଓ ସାନ୍ଧ୍ୟ ନୃତ୍ୟ କାର୍ଯ୍ୟକ୍ରମ । ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସ୍ୱତନ୍ତ୍ର ଆକର୍ଷଣରେ ଥିଲା ବିଗତ ବର୍ଷମାନଙ୍କରେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିଥିବା କିଛି ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କର ଫଟୋ ପ୍ରଦର୍ଶନୀ ତଥା ଖାଦ୍ୟ ଷ୍ଟଲ, ମିଲେଟ ଷ୍ଟଲ ଓ ବହି ବିକ୍ରୟ କେନ୍ଦ୍ର । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ ।

Leave a Reply

Your email address will not be published. Required fields are marked *