ଅନ୍ବେଷା ହଷ୍ଟେଲ ରେ ଅନ୍ତେବାସୀ ଙ୍କ ମାରପିଟ ଘଟଣା ମଙ୍ଗଳ ବିଭାଗର କାର୍ଯ୍ୟ ପ୍ରତି ସାଧାରଣରେ ଅସନ୍ତୋଷ
ରାୟଗଡା : ରାୟଗଡା ଜିଲ୍ଲା ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ। ଆଦିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବା କାରଣ ରୁ ରାଜ୍ୟ ସରକାରଙ୍କ ଫୋକ୍ସ ଥିବା ପରେ ଏବଂ ରାଜ୍ୟ ର ମନ୍ତ୍ରୀ ଙ୍କ ବାରମ୍ବାର ପରିଦର୍ଶନ ହେଉଥିଲେ ମଧ୍ୟ ମଙ୍ଗଳ ବିଭାଗ କାର୍ଯ୍ୟ ରେ ସୁଧାର ଆସି ପାରୁନାହିଁ l ବାରମ୍ବାର ଅନ୍ତେବାସୀ ଙ୍କ ବିଶୃଙ୍ଖଳା, ଅନ୍ତେବାସୀ ଙ୍କୁ ନିର୍ଯ୍ୟାତନା ଏଭଳି କି ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଓ ଜିଲ୍ଲା ପାଳଙ୍କ ବିବାଦ ହାଟ ରେ ପଡି ଦାଣ୍ଡ ରେ ଗଡୁଥିବା ବେଳେ ଆଜି ଗୁଣପୁର ତହସିଲ୍ ଅଫିସ୍ ନିକଟ ରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲ୍ ରେ ଅଧ୍ୟୟନରତ ଛାତ୍ରମାନେ ଅନ୍ୟ ତିନି ଜଣ ଛାତ୍ର କୁ ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହୋଇଛି। ଆକ୍ରମଣ ଶିକାର ହୋଇଥିବା ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣି, ଉଥାପା ଶବର ଅଷ୍ଟମ ଶ୍ରେଣି , ପବିତ୍ର ଶବର ଅଷ୍ଟମ ଶ୍ରେଣି ଛାତ୍ର। କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ମୋବାଇଲ୍ କ୍ୟାମେରାରେ କଏଦ୍ କରି ଭାଇରଲ୍ କରିଛନ୍ତି। ଏହି ଭିଡିଓ ଟି ଦେଖିବା ମାତ୍ର ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ହଷ୍ଟେଲ୍ ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କୁ ସହରାଞ୍ଚଳର ଶିକ୍ଷା ଯୋଜନାରେ ଛାତ୍ର ମାନେ ରହି ବିଭିନ୍ନ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଅର୍ଜନ କରିବା ବ୍ୟବସ୍ଥା କରିଛନ୍ତି ରାଜ୍ଯ ସରକାର। କିନ୍ତୁ ଏହି ଭିଡିଓ ଦେଖିଲେ ଛାତ୍ର ମାନେ କିଭଳି ଶିକ୍ଷା ଅର୍ଜନ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ କରିହେଉଛି । ଛାତ୍ର ମାନେ ହଷ୍ଟେଲ୍ ରେ କେତେ ସୁରକ୍ଷିତ,ହଷ୍ଟେଲ ପରିଚାଳନା ଦାୟିତ୍ବ ରେ ଥିବା ଅଧିକାରି ମାନେ କିଭଳି ଛାତ୍ରମାନଙ୍କ ପ୍ରତି ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥିବ। ଭିଡିଓ ଟି ସୋସିଆଲ ମିଡିଆ ରେ ଭାଇରଲ ହେବା ପରେ ଖବର ପାଇ ହଷ୍ଟେଲ୍ ପହଞ୍ଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା। ଆକ୍ରମଣରେ ଶିକାର ହୋଇଥିବା ଛାତ୍ର ମାନଙ୍କୁ ଗୁଣୁପୁର ମେଡିକାଲ୍ ରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଆହତ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା ସୁଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି। ତହସିଲ ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂର ଏବଂ ଉପଜିଲ୍ଲାପାଳ ଙ୍କ ଆବାସ ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ହଷ୍ଟେଲ ଛାତ୍ର ମାନଙ୍କ କୃତ୍ୟ ଆଚମ୍ବିତ କରୁଛି ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି l ଏହି ଭିଡିଓ ଟି ଦେଖିବା ମାତ୍ରେ ପିଲାଙ୍କ ଅଭିଭାବକ ଦାୟିତ୍ଵ ରେ ଥିବା ୱାର୍ଡେନ୍ ଙ୍କୁ ଏହି ବିଷୟରେ ବୁଝିବା ନିମନ୍ତେ କଲ କରିବାରୁ ସେ କଲ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ଅଭିଭାବକ ମାନେ ଘଟଣା ବିଷୟରେ କୌଣସି ଖବର ନ ପାଇ ପାରି ହଷ୍ଟେଲ୍ ରେ ଆସି ପିଲା କୁ ସାକ୍ଷାତ୍ ନିମନ୍ତେ ପାଟି କରୁଥିବା ବେଳେ ମଙ୍ଗଳ ଅଧିକାରୀ ଙ୍କ ଠାରୁ ଖବର ପାଇ ସେଠାକୁ ଗୁଣପୁର ଆଦର୍ଶ ଥାନା ଏସ୍. ଆଇ ଅଶୋକ କୁମାର ପାଢ଼ୀ ପହଂଚି ଅଭିଭାବକ ମାନଙ୍କୁ ବୁଝାଇ ସମାଧାନ ନିମନ୍ତେ ପଦକ୍ଷେପ ନେଇ ପିଲାଙ୍କ ସହ ଭେଟାଇ ଥିଲେ। ସଦ୍ୟ ଘଟଣା କ୍ରମରେ ଆମ୍ଭ ପ୍ରତିନିଧି ଙ୍କ ଦ୍ଵାରା ତଦନ୍ତ କରିବା ପରେ ଜଣା ପଡିଛି ଏହି ଆପରାଧି ମାନସିକତା ର ଛାତ୍ର ମାନେ କିଛି ଦିନ ପୂର୍ବେ ହଷ୍ଟେଲ୍ ର ପଛ ପଟ ଦେଇ ଗ୍ରୀଲ ଭାଙ୍ଗି ବାହାରକୁ ଯାଇ ନିଶା ଦ୍ରବ୍ଯ ଆଣିବା ସୂଚନା ମିଳିଛି ତତ୍ ସଙ୍ଗେ ସଙ୍ଗେ ଏହି ହଷ୍ଟେଲ ନିକଟରେ ଥିବା ଦୋକାନରେ ଚୋରି ଘଟଣା ରେ ମଧ୍ୟ ସମ୍ପୃକ୍ତି ଅଛନ୍ତି l ଏହି ହଷ୍ଟେଲ ରେ ଏଭଳି ଘଟଣା ମାନ ହେଉଥିବା ବେଳେ ମଂଗଳ ବିଭାଗ ଅଧିକାରୀ ଙ୍କ ଅଧୀନରେ ରହି ଦାୟିତ୍ୱ ରେ ଥିବା କର୍ମଚାରୀ କେମିତି କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ସ୍ପଷ୍ଟ ବାରି ହେଉଛି। ଏହି ସବୁ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଅସୀମା ରାଓ ହଷ୍ଟେଲ୍ ରେ ପହଂଚି ତଦନ୍ତ କରିବା ସହ କିପରି ଏହା ଯଥା ଶୀଘ୍ର କାର୍ଯ୍ୟନୁଷ୍ଠାନ ନେଇ ହେବ ସେ ସମ୍ପର୍କିତ କାର୍ଯ୍ୟ ଆରମ୍ଭ କରିବା ସହ ଏହାର ସମାଧାନ ସୋମବାର ଦିନ ସୁଦ୍ଧା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଏଥି ପ୍ରତି କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତ ଙ୍କ ନଜର।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ