ଅଧ୍ୟାପକ ନାହାନ୍ତି, ଶିକ୍ଷାଦାନରୁ ବଞ୍ଚିତ ଛାତ୍ରଛାତ୍ରୀ

ଅଧ୍ୟାପକ ନାହାନ୍ତି, ଶିକ୍ଷାଦାନରୁ ବଞ୍ଚିତ ଛାତ୍ରଛାତ୍ରୀ

ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ବହୁ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି. ଏଠାରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ. ଏହି ମହାବିଦ୍ୟାଳୟର ବିଜ୍ଞାନଗାରଟି ଅସମ୍ପୂର୍ଣ ହୋଇ ରହିଥିବାରୁ ସେଠାରେ ଉଇ ହୁଙ୍କା ହୋଇଯାଇଛି. ଏଥିସହ ଏଠାରେ ଆବଶକ୍ୟ ସଂଖ୍ୟକ ଅଧ୍ୟାପକ ନଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି. – ଅତ୍ୟାଧୁନିକ ତଥା ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷରେ ସରକାର ଉଭୟ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଭିତିଭୁମି ଓ ଆନୁସାଙ୍ଗିକ ବ୍ୟବସ୍ଥା ରେ ପରିବର୍ତନ କରୁଛନ୍ତି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ଶ୍ରେଣୀ ଗୃହ ଓ ବିଜ୍ଞାନାଗାର , ପାଠାଗାର ,ଶୈଚାଳୟ ନିର୍ମାଣ କରାଯାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ ର ଖାମଖିଆଲି କାର୍ଯ୍ୟ ଯୋଗୁଁ ତାହା ଏବେ ଅଧାପନ୍ତରିଆ ହୋଇରହିଛି । ଯାଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ଭୁଷୁଡିବା ସହ ଛାତ୍ର ଛାତ୍ରୀ ଶିକ୍ଷା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଉଦାହରଣ ପାଲଟିଛି ଗଜପତି ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟରେ ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଗଜପତି ଜିଲ୍ଲାର ଚାନ୍ଦିପୁଟ ଠାରେ ରହିଛି ବହୁ ପୁରାତନ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଏହା ବାହାରୁ ଦେଖିବାକୁ ଯେତିକି ଚକାଚକ୍ ଭିତରେ ସେତିକି ଫମ୍ପା ହୋଇସାରିଲାଣି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଅଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ କୈାଣସି ଆନୁସାଙ୍ଗିକ ସୁବିଧା । ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ନାହଁ ଗୋଟିଏ ବି ଶୈଚାଳୟ କିମ୍ବା ପାଇଖାନା । ଫଳରେ ଶୌଚ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଖୋଲା ଆକାଶ ତଳେ ଓ ନିକଟସ୍ଥ ଲଟା ବୁଦାକୁ ଯିବାକୁ ପଡୁଛି । ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗାଇଦେବା ଆଳରେ ଲକ୍ଷା ଧିକ ଟଙ୍କା ରେ ପୁରାତନ ଶ୍ରେଣୀ ଗୃହ ଗୁଡିକୁ ଭଙ୍ଗାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଜ୍ଞାନାଗାର ଅସମ୍ପୂର୍ଣ୍ଣ ରହିଛି । ଦିର୍ଘ ମାସ ମାସ ଧରି ଅସମ୍ପୁର୍ଣ୍ଣ ଶ୍ରେଣୀ ଗୃହ ବନ୍ଦ ରହିବା ଯୋଗୁଁ ପଦାର୍ଥ ବିଜ୍ଞାନଗାର ର ବହୁ ମୂଲ୍ୟବାନ ଉପକରଣରେ ଉଇ ହୁଙ୍କା ସୃଷ୍ଟି ହୋଇ ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲାଣି ତ ଅନେକ ସାମଗ୍ରୀ କ୍ରମଶଃ ଉଭାନ ହେବାରେ ଲାଗିଛି । ସେହିଭଳି ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନାଗାରରେ ଆବଶ୍ୟକୀୟ ସୁବିଧା ନଥିବା ବେଳେ , ରାସାୟନିକ ବିଜ୍ଞାନାଗାର ଭଙ୍ଗା ଟେବୁଲ୍ ଖଞ୍ଜା ଯାଇ ଅସମ୍ପୁର୍ଣ୍ଣ ରହିଛି । ଏହି ତିନୋଟି ବିଜ୍ଞାନାଗାର ପାଇଁ ଯାହା ଝରକାର ବ୍ୟବସ୍ଥା ଥିଲା ତାହାକୁ ବନ୍ଦ କରି ଅବୈଧ ଭାବେ ରୋଷେଇ ଶାଳ ନିର୍ମାଣ କରାଯାଇଛି । ଯାଫଳରେ ପୁର୍ବ ଅପେକ୍ଷା କୋଠରୀ ଗୁଡ଼ିକ ସଂକୀର୍ଣ୍ଣ ଓ ଆବଦ୍ଧ ହୋଇଯାଇଥିବା ଯୋଗୁଁ ପ୍ରାକୃତିକ ଆଲୋକ ଓ ବାୟୁର ଚଳାଚଳ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇଗଲାଣି । ବିଜ୍ଞାନାଗାରରେ ପରୀକ୍ଷା ସହ ଶିକ୍ଷା ଗ୍ରହଣ କରିବା ଛାତ୍ରଛାତ୍ରୀଙ୍କ ପକ୍ଷରେ ବିପଦପୂର୍ଣ୍ଣ ରହିଛି । ଏଭଳି ସମସ୍ୟା ମଧ୍ୟରେ ଅନେକ ବର୍ଷ ହେଲାଣି ଉଦ୍ଦିଦ ବିଜ୍ଞାନ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଫଳରେ ପାଠପଢ଼ାରେ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହେଉଥିବା ଯୋଗୁଁ ପିଲାଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି । କର୍ମଚାରୀ ମାନଙ୍କ ମଧ୍ୟରେ ତାଳମେଳ ଓ ସମ୍ବନ୍ବୟର ଅଭାବ ହେତୁ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି। ଯଥାଶିଘ୍ର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସୁବିଧା ମାନ ଯୋଗାଇଦେଲେ ଭଲ ପାଠ ପଢିବାରେ ସହାୟକ ହେବ ବୋଲି ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *