ପ୍ରତିଟି ବୁଥ୍ରେ ମତଦାତାଙ୍କୁ ସ୍ୱାଗତ କରିବାକୁ ଆମେ ପ୍ରସ୍ତୁତ: ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ମଇ ୧୩ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଏହି ପରିପ୍ରେକ୍ଷୀରେ ପ୍ରତିଟି ବୁଥ୍ରେ ମତଦାତାଙ୍କ ସୁଖଦ ମତଦାନର ଅନୁଭୂତି ପାଇଁ ନିର୍ବାଚନ କର୍ମଚାରୀମାନେ ପ୍ରସ୍ତୁତ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ଏହି ପର୍ଯ୍ୟାୟରେ ୭୩୦୩ ମତଦାନ କେନ୍ଦ୍ରରେ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ।
ମଇ ୧୩ରେ ମତଦାନ କରାଇବା ପାଇଁ ପୋଲିଂ ପାର୍ଟିଗୁଡ଼ିକ ପୋଲିଂ ଷ୍ଟେସନ୍କୁ ଯାଇସାରିଛନ୍ତି । ଏଥି ପାଇଁ ମଇ ୧୧ରେ ୩୯୧୨ ପୋଲିଂ ପାର୍ଟି ଓ ମଇ ୧୨ରେ ୩୩୯୧ ପୋଲିଂ ପାର୍ଟି ପୋଲିଂ ଷ୍ଟେସନ୍କୁ ଯାଇସାରିଛନ୍ତି । ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ୬ ଟି ବୁଥ୍ ପାଇଁ ପୋଲିଂ ପାର୍ଟିଗୁଡ଼ିକୁ ଏୟାର ଡ୍ରପ୍ କରାଯାଇଛି । ଅନେକ ଅଞ୍ଚଳକୁ ବୋଟ୍ ମାଧ୍ୟମରେ ନଦୀ ପାରି ହୋଇ ପୋଲିଂ ପାର୍ଟିଗୁଡ଼ିକ ଯାତ୍ରା କରିଛନ୍ତି । ଏସବୁ ଐତିହାସିକ ମୁହୂର୍ତ୍ତ ନିର୍ବାଚନକୁ ଦେଶର ପ୍ରକୃତ ମହାନତମ ଗଣପର୍ବ ରୂପେ ପ୍ରତିଷ୍ଠିତ କରିବା ସହ ‘ମତଦାନର ପର୍ବ- ଆମ ଦେଶର ଗର୍ବ’ ବାର୍ତ୍ତାକୁ ସାର୍ଥକ କରୁଛି । ଏହି ୪ ସଂସଦୀୟ କ୍ଷେତ୍ରର ସମସ୍ତ ନାଗରିକଙ୍କୁ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଅନୁରୋଧ କରି ନିଜ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଅପିଲ୍ କରିଛନ୍ତି ।